ନ୍ୟୁଜ ଡେକ୍ସ : ରାଜଧାନୀର ପ୍ରମୁଖ ସରକାରୀ ଚିକିତ୍ସାଳୟ କ୍ୟାପିଟାଲ୍ ହସ୍ପିଟାଲ୍ରେ କାର୍ଯ୍ୟରତ ଜଣେ ଡାକ୍ତରଙ୍କ ଉପରେ ମାରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି। ଏହି ମାମଲାରେ କ୍ୟାପିଟାଲ୍ ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତ ବିନ୍ଦୁ ସାଗର ରାଉତଙ୍କୁ ଗିରଫ କରି ଆଜି କୋର୍ଟକୁ ଚାଲାଣ କରିଛି।ପୋଲିସ ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତ ବିନ୍ଦୁ ସାଗର ରାଉତ ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳର ବାସିନ୍ଦା।
କିଛି ଦିନ ପୂର୍ବରୁ କ୍ୟାପିଟାଲ୍ ହସ୍ପିଟାଲ୍ ପରିସରରେ ସେ ଅଚାନକ ଜଣେ ଡାକ୍ତରଙ୍କୁ ଆକ୍ରମଣ କରିଥିଲେ। ଏହାରେ ଡାକ୍ତରୀ ସେବା ବାଧାପ୍ରାପ୍ତ ହେବା ସହ ହସ୍ପିଟାଲ୍ରେ ଉତ୍ତେଜନା ସୃଷ୍ଟି ହୋଇଥିଲା।ଘଟଣା ପରେ ଡାକ୍ତରଙ୍କ ପକ୍ଷରୁ କ୍ୟାପିଟାଲ୍ ଥାନାରେ ଏତଲା ଦିଆଯାଇଥିଲା। ସିସିଟିଭି ଫୁଟେଜ୍ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ପୋଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା।
ତାଙ୍କ ବିରୋଧରେ ଅନେକ ସଂଗୀନ ଦଫା ଲଗାଯାଇ ଭୁବନେଶ୍ୱର ସ୍ଥିତ SDJM କୋର୍ଟକୁ ଫରୱାର୍ଡ କରାଯାଇଛି। ଏହି ଘଟଣା ପରେ ସରକାରୀ ହସ୍ପିଟାଲ୍ରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ଡାକ୍ତର ସଂଘ ପକ୍ଷରୁ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ହସ୍ପିଟାଲ୍ ପରିସରରେ ସୁରକ୍ଷା ବ୍ୟବସ୍ଥା ମଜବୁତ କରିବାକୁ ଦାବି କରାଯାଇଛି।

