ନ୍ୟୁଜ ଡେକ୍ସ : ରାଜ୍ୟ କ୍ୟାବିନେଟ ବୈଠକରେ ୭ଟି ବିଭାଗ ସମ୍ପର୍କିତ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ଲାଗିଛି। ଏହି ବୈଠକରେ ରାଜ୍ୟର ଐତିହ୍ୟ ସୁରକ୍ଷା, ଶକ୍ତି ବିକାଶ ଓ କୃଷି-ଜଳସେଚନ କ୍ଷେତ୍ରକୁ ଗତି ଦେବାକୁ ନେଇ ଅନେକ ନୂଆ ଯୋଜନାକୁ ଅନୁମୋଦନ କରାଯାଇଛି।କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁସାରେ ‘ବରପୁତ୍ରଙ୍କ ଗାଁ ଐତିହ୍ୟ ଗ୍ରାମ ଯୋଜନା’ ଆରମ୍ଭ କରାଯିବ।
ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୨୬ଜଣ ବରପୁତ୍ରଙ୍କ ଗାଁକୁ ସାମିଲ କରାଯିବ। ପ୍ରତ୍ୟେକ ବରପୁତ୍ରଙ୍କ ଗାଁର ସାର୍ବାଙ୍ଗୀଣ ବିକାଶ ପାଇଁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବା ସହ ମୋଟ ୩୪୫ କୋଟି ଟଙ୍କା ବ୍ୟୟ ହେବ। ଏହି ଅର୍ଥରେ ସଂଗ୍ରହାଳୟ, ପାଠାଗାର, ପ୍ରତିମୂର୍ତ୍ତି, ସ୍ମୃତିସୌଧ ଓ ଅନ୍ୟାନ୍ୟ ଐତିହ୍ୟ ଆଧାରିତ ବିକାଶ କାମ କରାଯିବ।ସେହିପରି ଶକ୍ତି କ୍ଷେତ୍ରରେ ବଡ଼ ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ଅଧୀନରେ ସ୍ମାର୍ଟ ମିଟର ସ୍ଥାପନ କରାଯିବ। ୨ କିଲୋୱାଟ ପର୍ଯ୍ୟନ୍ତ ସ୍ବଳ୍ପ ବିଦ୍ୟୁତ ବ୍ୟବହାର କରୁଥିବା ପ୍ରାୟ ୮୭ ପ୍ରତିଶତ ଉପଭୋକ୍ତା ଏହାରୁ ବିଶେଷ ଭାବେ ଉପକୃତ ହେବେ। ସ୍ମାର୍ଟ ମିଟର ପାଇଁ ଏହି ଶ୍ରେଣୀର ଉପଭୋକ୍ତାଙ୍କୁ କୌଣସି ଅତିରିକ୍ତ ମିଟର ଭଡ଼ା ଦେବାକୁ ପଡିବ ନାହିଁ ଓ ଖୁଚୁରା ବିଦ୍ୟୁତ ଟାରିଫ୍ରେ ମଧ୍ୟ କୌଣସି ପ୍ରଭାବ ପଡ଼ିବ ନାହିଁ।
କୃଷି ଓ ଜଳସେଚନ କ୍ଷେତ୍ରରେ ମଧ୍ୟ ଏକ ବୃହତ୍ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି। ‘ପାର୍ବତୀଗିରି ବୃହତ୍ ଉଠା ଜଳସେଚନ ଯୋଜନା’ ମାଧ୍ୟମରେ ୨ ଲକ୍ଷ ୬୩ ହଜାର ୮୦୧ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ। ନଦୀ, ଜଳଭଣ୍ଡାର ଓ କେନାଲରୁ ଜଳ ଉତ୍ତୋଳନ କରି ଚାଷ ଜମିଗୁଡ଼ିକୁ ସେଚନ କରାଯିବ। ଏହି ଯୋଜନା ପାଇଁ ରାଜ୍ୟ ସରକାର ୧୦,୭୫୯ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟ ବରାଦ କରିଛନ୍ତି।କ୍ୟାବିନେଟର ଏହି ସମସ୍ତ ନିଷ୍ପତ୍ତି ରାଜ୍ୟର ଐତିହ୍ୟ ସୁରକ୍ଷା, ବିଦ୍ୟୁତ ସୁଧାର ଓ କୃଷି ବିକାଶକୁ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି।

