ନ୍ୟୁଜ ଡେକ୍ସ : ଖଣ୍ଡଗିରି ଯାତ୍ରା ଆରମ୍ଭ ହେବା ସହିତ ସନ୍ଧ୍ୟା ପଡ଼ିଲେ ଖଣ୍ଡଗିରି ଅଞ୍ଚଳ ଲୋକେ ଓ ଗାଡ଼ିରେ ଭରିଯାଉଛି। ଦୂରଦୂରାନ୍ତରୁ ଆସୁଥିବା ଦର୍ଶକମାନେ ଯାତ୍ରା ଦେଖିବାକୁ ଭିଡ଼ ଜମାଉଥିବାବେଳେ, ଗାଡ଼ି ପାର୍କିଂକୁ ନେଇ ଗଭୀର ଅବ୍ୟବସ୍ଥା ଦେଖାଦେଇଛି। ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ପାର୍କିଂ ସ୍ଥାନ ରହିଥିଲେ ମଧ୍ୟ ଅଧିକାଂଶ ଦର୍ଶକ ମନଇଚ୍ଛା ଦୁଇଚକିଆ ଓ ଚାରିଚକିଆ ଗାଡ଼ି ରଖି ଯାତ୍ରା ଦେଖିବାକୁ ଚାଲିଯାଉଛନ୍ତି।ସବୁଠାରୁ ଚିନ୍ତାଜନକ ଅବସ୍ଥା ଦେଖାଦେଇଛି ଖଣ୍ଡଗିରି ଥାନା ସମ୍ମୁଖରେ।
ଥାନା ସମ୍ମୁଖରେ ସ୍ପଷ୍ଟଭାବେ ‘ନୋ ପାର୍କିଂ ଜୋନ୍’ ଥିବା ସତ୍ତ୍ୱେ ଏଠାରେ ସନ୍ଧ୍ୟାରୁ ରାତି ପର୍ଯ୍ୟନ୍ତ ଦଶଦଶ ଦୁଇଚକିଆ ଗାଡ଼ି ଲାଇନ୍ରେ ଲଗାଯାଉଛି। ନିର୍ଦ୍ଧାରିତ ପାର୍କିଂ ସ୍ଥାନରେ ବାଇକ୍ ରଖିବା ପାଇଁ ୫୦ ଟଙ୍କା ଦେବାକୁ ପଡ଼ୁଥିବାରୁ ଅନେକ ଲୋକ ଏହି ଖର୍ଚ୍ଚ ବଞ୍ଚାଇବା ପାଇଁ ଥାନା ସମ୍ମୁଖରେ ଗାଡ଼ି ରଖୁଥିବା ଜଣାପଡ଼ିଛି। ବହୁତେ କହୁଛନ୍ତି ଯେ, “ଥାନା ସମ୍ମୁଖରେ ଗାଡ଼ି ରଖିଲେ ସୁରକ୍ଷିତ ରହିବ, ଟୋ କିମ୍ବା ଜରିମାନାର ଭୟ ନାହିଁ।” ଯଦିଓ ନିୟମ ଅନୁଯାୟୀ ନିର୍ଦ୍ଧାରିତ ସ୍ଥାନ ବ୍ୟତୀତ ଅନ୍ୟ କେଉଁଠି ଗାଡ଼ି ରଖିଲେ ଟୋ କରି ଉଠାଇ ନେବା ସହିତ ଜରିମାନା ଆଦାୟ କରିବା ବ୍ୟବସ୍ଥା ରହିଛି, କିନ୍ତୁ ଥାନା ସମ୍ମୁଖରେ ରଖାଯାଉଥିବା ଗାଡ଼ି ଉପରେ ପ୍ରାୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଫଳରେ ଏହି ଅଞ୍ଚଳ ଦିନକୁ ଦିନ ଅନଔପଚାରିକ ପାର୍କିଂ ଜୋନ୍ରେ ପରିଣତ ହେଉଛି।ଖଣ୍ଡଗିରି–ଜାଗମରା ମୁଖ୍ୟ ରାସ୍ତା, ସ୍ଥାନୀୟ ଦୋକାନ ସମ୍ମୁଖ ଓ ସଂକୁଚିତ ଗଳିକନ୍ଦିରେ ମଧ୍ୟ ଗାଡ଼ି ରଖାଯାଉଥିବାରୁ ଯାତାୟାତ ଭାରି ବାଧାପ୍ରାପ୍ତ ହେଉଛି।
ଆପତ୍କାଳୀନ ସେବା ଗାଡ଼ି ପାଇଁ ରାସ୍ତା ଖାଲି ରଖିବାକୁ କୁହାଯାଇଥିଲେ ମଧ୍ୟ ଭିଡ଼ରେ ସେହି ନିୟମ ମାନାଯାଉନାହିଁ।ଥାନାର ମୁଖ୍ୟ ଫାଟକର ଦୁଇ ପାଖରେ ଲୋକେ ଗାଡ଼ି ଲଗାଇ ଦେଉଥିବାବେଳେ, କିଛି ଅମାନିଆ ସିଧାସଳଖ ମୁଖ୍ୟ ଫାଟକ ସମ୍ମୁଖରେ ମଧ୍ୟ ଗାଡ଼ି ରଖିଦେଉଛନ୍ତି। ବିଳମ୍ବିତ ରାତିରେ ପୁଲିସ କର୍ମଚାରୀମାନେ ସେହି ଗାଡ଼ିଗୁଡ଼ିକୁ ହଟାଇବାକୁ ବାଧ୍ୟ ହେଉଛନ୍ତି। ଏହିପରି ଅବ୍ୟବସ୍ଥା ଥାନାର ପଛ ଗେଟ୍ ନିକଟରେ ମଧ୍ୟ ଦେଖାଯାଉଛି। ଏନେଇ ଥାନା କର୍ମଚାରୀମାନେ କହିଛନ୍ତି ଯେ, ଲୋକଙ୍କୁ ବାରମ୍ବାର ନୋ–ପାର୍କିଂ ଅଞ୍ଚଳରେ ଗାଡ଼ି ନରଖିବାକୁ କୁହାଯାଉଛି।
ଯେଉଁମାନେ ପୁଲିସର ହାବୁଡ଼ରେ ପଡ଼ୁଛନ୍ତି, ସେମାନଙ୍କୁ ନିର୍ଦ୍ଧାରିତ ପାର୍କିଂ ସ୍ଥାନକୁ ଯାଇ ଗାଡ଼ି ରଖିବାକୁ ତାଗିଦ ଦିଆଯାଉଛି। କିନ୍ତୁ ଅଧିକାଂଶ ଲୋକ ଅନଦେଖା କରି ଯେଉଁଠି ସୁଯୋଗ ମିଳୁଛି, ସେଠି ଗାଡ଼ି ରଖି ଯାଉଛନ୍ତି।ଖଣ୍ଡଗିରି ଯାତ୍ରାର ଉତ୍ସବ ମାହୋଲ୍ ମଧ୍ୟରେ ଏହି ପାର୍କିଂ ଅବ୍ୟବସ୍ଥା ଯଦି ଏଭଳି ଚାଲିଥାଏ, ତେବେ ଆଗାମୀ ଦିନରେ ଯାତାୟାତ ଓ ସୁରକ୍ଷା ଦୁହେଁ ପାଇଁ ବଡ଼ ସମସ୍ୟା ସୃଷ୍ଟି ହେବ ବୋଲି ସ୍ଥାନୀୟ ଲୋକ ଆଶଙ୍କା ପ୍ରକାଶ କରୁଛନ୍ତି।

