ନ୍ୟୁଜ ଡେକ୍ସ : ଶ୍ରୀମନ୍ଦିରର ଆନନ୍ଦ ବଜାରରେ ଅନୁଶାସନ ଓ ଭକ୍ତଙ୍କ ସୁବିଧା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ନୂଆ ପଦକ୍ଷେପ ନେଇଛି। ମଙ୍ଗଳବାର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି। ଅବଢ଼ା ବିକ୍ରି ଓ ଖାଇବାରେ ହେଉଥିବା ବିଶୃଙ୍ଖଳା ରୋକିବା ଦିଗରେ ଆଲୋଚନା ହୋଇଛି।
ଅବଢ଼ା ଓ ‘ଶୁଖିଲା ଭୋଗ’ର ଦର ତାଲିକା ନିର୍ଦ୍ଧାରଣ କରାଯିବ। ଯାହା ପରବର୍ତ୍ତୀ ସମୟରେ ସ୍ୱଚ୍ଛତା ଆଣିବ। ଡଃ ପାଢ଼ୀ ଗଣମାଧ୍ୟମକୁ କହିଥିଲେ, ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି ଓ ବଣ୍ଟନ ବ୍ୟବସ୍ଥାରେ ଆବଶ୍ୟକ ଶୃଙ୍ଖଳା ଶୀଘ୍ର ଆସିବ । ଅବଢ଼ା ଓ ଶୁଖିଲି ମହାପ୍ରସାଦର ରେଟ୍ ଚାଟ୍ ଲାଗିବ । ଶୁଖିଲି ଓ ଅନ୍ନ ମହାପ୍ରସାଦ ଭିନ୍ନ ସ୍ଥାନରେ ବିକ୍ରି ହେବ । ଦୀପ ଓ ମହାପ୍ରସାଦରେ ଓମ୍ଫେଡ୍ ବ୍ୟବହାର ବାଧ୍ୟତାମୂଳକ ହୋଇଛି । ବ୍ୟତିକ୍ରମ କଲେ କାର୍ଯ୍ୟାନୁଷ୍ଠାନ କଡ଼ାକଡ଼ି କରାଯିବାକୁ ବୈଠକରେ ଚେତାବନୀ ଦିଆଯାଇଛି ।
ଏନେଇ ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ସୁଆର କହିଛନ୍ତି, ପୂର୍ବତନ ଜିଲ୍ଲାପାଳଙ୍କ ସମୟରେ ଆନନ୍ଦ ବଜାର ଶୃଙ୍ଖଳା ୮୦ ଭାଗ ଆସିଥିଲା । ବିଶୃଙ୍ଖଳା ସ୍ଥିତି ଦେଖି ଜରୁରୀ ବୈଠକ ପୁଣି ବସିଥିଲା । ନୀତିକାନ୍ତି ଶୃଙ୍ଖଳା କରିବାକୁ ପ୍ରଥମେ ଆଲୋଚନା ହୋଇଥିଲା । ଶୀଘ୍ର ମହାପ୍ରସାଦ ବାହାରିଲେ ଶ୍ରଦ୍ଧାଳୁମାନେ ଆନନ୍ଦରେ ଖାଇ ଚାଲି ଯିବେ। ଶ୍ରୀମନ୍ଦିରରେ ଭିଡ଼ ବେଶୀ ସମୟ ରହିବନି । ସେହିପରି ଶୁଖିଲି ଓ ଅବଢ଼ା ସ୍ୱତନ୍ତ୍ର ସ୍ଥାନରେ ବିକ୍ରି ବ୍ୟବସ୍ଥା ହୋଇଛି । ଆନନ୍ଦ ବଜାର ଖୋଲା ସ୍ଥାନରେ ବସିଥିବା ଖଜା ଦୋକାନୀଙ୍କୁ ସ୍ୱତନ୍ତ୍ର ଦୋକାନ ଭିତରକୁ ସ୍ଥାନାନ୍ତର କରାଯିବ ।
ପ୍ରତିଦିନ ଶ୍ରୀମନ୍ଦିରରେ ମହାପ୍ରସାଦ ରନ୍ଧିବାକୁ ଆବଶ୍ୟକ ୩୫ କ୍ୱିଣ୍ଟାଲ କାଠ ଯୋଗାଇ ଦେବାକୁ ଦାବି କରାଯାଇଥିଲା । ମନ୍ଦିର ରୋଷେଇ ଘରେ ରୋଜ ୩୫ କ୍ୱିଣ୍ଟାଲ କାଠ ଆବଶ୍ୟକ। ଏହାର ନିରବଚ୍ଛିନ୍ନ ଯୋଗାଣ ପାଇଁ ଚର୍ଚ୍ଚା ହୋଇଛି। ଭୋଗ ପାଇଁ ଜୈବିକ ଚାଉଳ ବ୍ୟବହାର ଯୋଜନା ମଧ୍ୟ ରହିଛି। ଆନନ୍ଦ ବଜାରରେ ସୁପକାର ସେବକଙ୍କ ସହକାରୀଙ୍କ ପାଇଁ ଡ୍ରେସକୋଡ ନିୟମ ଓ ପରିଚୟ ପତ୍ର ବାଧ୍ୟତାମୂଳକ ହେବ।
