Sat. Feb 21st, 2026

ନ୍ୟୁଜ ଡେକ୍ସ : ନୂଆବର୍ଷ ପୂର୍ବଦିନ ବାଂଲାଦେଶରେ ହିନ୍ଦୁ ବ୍ୟବସାୟୀ ଖୋକନ ଚନ୍ଦ୍ର ଦାସଙ୍କ ହତ୍ୟା ଘଟଣାରେ ବାଂଲାଦେଶ ପୋଲିସ ୩ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ଗିରଫ ସନ୍ଦିଗ୍ଧମାନେ ହେଲେ ସୋହାଗ୍ ଖାନ (୨୭), ରାବି ମୋଲ୍ଲା (୨୧) ଓ ପଲାଶ ସର୍ଦ୍ଦାର (୨୫)। ଏମାନଙ୍କୁ କିଶୋରଗଞ୍ଜ ଜିଲ୍ଲାରୁ ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇ ଗିରଫ କରାଯାଇଥିବା ବୋଲି ବାଂଲାଦେଶର ରାପିଡ୍ ଆକ୍ସନ୍ ବାଟାଲିଅନ୍ (RAB) ସୂଚନା ଦେଇଛି।

ପୋଲିସ କହିଛି, ଗିରଫ ହୋଇଥିବା ତିନିଜଣଙ୍କ ବିରୋଧରେ ପୂର୍ବରୁ ଡ୍ରଗ୍ସ ଅପରାଧ ସହ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟକଳାପ ସଂପର୍କିତ ମାମଲା ରହିଛି। ଏହି ଆକ୍ରମଣର ପଛର ଉଦ୍ଦେଶ୍ୟ ଖୋଜିବା ସହ ଘଟଣାରେ ଅନ୍ୟ କେହି ସଂପୃକ୍ତ ଅଛନ୍ତି କି ନାହିଁ, ସେଥିପାଇଁ ତଦନ୍ତ ଜାରି ରହିଛି।ସୂଚନାଯୋଗ୍ୟ ଯେ, ଡିସେମ୍ବର ୩୧ ତାରିଖ ରାତିରେ ଶରିୟତପୁର ଜିଲ୍ଲାର ଖୋକନ ଦାସ ନିଜ ଔଷଧ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଆକ୍ରମଣରେ ସେ ଗମ୍ଭୀର ଭାବରେ ଆହତ ହୋଇଥିଲେ। ଜୀବନ ବଞ୍ଚାଇବା ପାଇଁ ସେ ନିକଟରେ ଥିବା ଏକ ପୋଖରୀକୁ ଝାପି ପଡ଼ିଥିଲେ।

ପରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ତାଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ବାଂଲାଦେଶରେ ସଂଖ୍ୟାଲଘୁ ସମୁଦାୟର ସୁରକ୍ଷା ନେଇ ପୁନଃ ଚର୍ଚ୍ଚା ଆରମ୍ଭ ହୋଇଛି। ରିପୋର୍ଟ ଅନୁସାରେ, ନିକଟ ପାସ୍ତରେ ହିନ୍ଦୁଙ୍କ ଉପରେ ଆକ୍ରମଣ ଘଟଣା ବୃଦ୍ଧି ପାଇଥିବା ନେଇ ଚିନ୍ତା ପ୍ରକାଶ ପାଉଛି। ଖୋକନ ଦାସଙ୍କ ହତ୍ୟା ମାମଲାରେ ଦୋଷୀଙ୍କୁ କଠୋର ଶାସ୍ତି ଦେବାକୁ ଦାବି ହେଉଥିବା ବେଳେ, ପୋଲିସ ତଦନ୍ତ ତେଜ କରିଛି।

Leave a Reply

Your email address will not be published. Required fields are marked *