Sat. Feb 21st, 2026

ନ୍ୟୁଜ ଡେକ୍ସ : ଖୋର୍ଦ୍ଧା ଜିଲ୍ଲାର ପିଏମଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଞ୍ଚିଥିବା ବେଳେ ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି। ପାଣି ଓ ବାହାର ଖାଦ୍ୟ ଦ୍ୱାରା ଏହି ଜଣ୍ଡିସ ଆକ୍ରାନ୍ତ ବଢ଼ୁଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସନ୍ଦେହ କରିଛି।

ଘଟଣାର ସମୀକ୍ଷା ପାଇଁ ଆଜି ସିଡିଏମଓ ଡା. ସଞ୍ଜୟ ରାୟ ଓ ଜନସ୍ୱାସ୍ଥ୍ୟ ବିଭାଗର ଡା. ରଞ୍ଜନ ମିତ୍ର ବିଦ୍ୟାଳୟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ସେମାନେ ବିଦ୍ୟାଳୟର ଅଧ୍ୟକ୍ଷାଙ୍କ ସହ ଆଲୋଚନା କରିବା ସହ ରୋଷେଇ ଗୃହ ଓ ଖାଦ୍ୟ ପ୍ରସ୍ତୁତି ସ୍ଥଳ ବୁଲି ଦେଖିଥିଲେ। ପିଲାମାନଙ୍କୁ ଦିଆଯାଉଥିବା ଖାଦ୍ୟ, ଖାଦ୍ୟ ସାମଗ୍ରୀ ଓ ପରିଷ୍କାର-ପରିଚ୍ଛନ୍ନତା ବ୍ୟବସ୍ଥାକୁ ନିକଟରୁ ଯାଞ୍ଚ କରାଯାଇଛି।ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ରଞ୍ଜନ ମିତ୍ର ସୂଚନା ଦେଇଛନ୍ତି ଯେ ରୋଷେଇ ଓ ଖାଦ୍ୟ ପ୍ରସ୍ତୁତି ସମୟରେ ସ୍ୱଚ୍ଛତା ରଖିବା, ହ୍ୟାଣ୍ଡ ଗ୍ଲୋଭସ, ମାସ୍କ ଓ ଏପ୍ରନ୍ ପରିଧାନ କରିବାକୁ ପରାମର୍ଶ ଦିଆଯାଇଛି।

ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ ଆକ୍ରାନ୍ତ ପିଲାମାନଙ୍କର ନମୁନା ସଂଗ୍ରହ କରାଯାଇଛି ଏବଂ ଏହି ମାମଲାରେ ଖୋର୍ଦ୍ଧା ଜିଲ୍ଲା ସ୍ୱାସ୍ଥ୍ୟ ଟିମ୍ ସମ୍ପୂର୍ଣ୍ଣ ଭାବେ ଆକ୍ଟିଭ ଅଛି।ପ୍ରାଥମିକ ଭାବେ ଏହା ହେପାଟାଇଟିସ-ଏ ହୋଇଥିବା ଜଣାପଡ଼ିଛି ଓ ଏକ ଇଣ୍ଡେକ୍ସ କେସ୍‌ ଥିବା ଅନୁମାନ କରାଯାଉଛି। ଏହା ଜଳବାହିତ ଓ ଖାଦ୍ୟଜନିତ ରୋଗ ହେଲେ ମଧ୍ୟ ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପ୍ରାୟ ୫୦ରୁ ଅଧିକ ପିଲା ଆକ୍ରାନ୍ତ ହୋଇଥିବା ସତ୍ତ୍ୱେ କେହି ମଧ୍ୟ ଗୁରୁତର ଅବସ୍ଥାରେ ନଥିବା ଜଣାପଡ଼ିଛି। ସ୍ଥିତି ଉପରେ ଲଗାତାର ନଜର ରଖାଯାଉଥିବା ନିର୍ଦ୍ଦେଶକ କହିଛନ୍ତି।

Leave a Reply

Your email address will not be published. Required fields are marked *