ନ୍ୟୁଜ ଡେକ୍ସ : ଭୁବନେଶ୍ଵର ବିମାନବନ୍ଦରରେ ଏବେ ମିଳିବ ଶସ୍ତା ଖାଦ୍ୟପାନୀୟ। ଏୟାରପୋର୍ଟ ଭିତରେ ‘ଉଡାନ ଯାତ୍ରୀ କାଫେ’ର ଶୁଭାରମ୍ଭ। ୧୦ ଟଙ୍କାରେ ଚା, କଫି, ପାଣି ବୋତଲ ଓ ନଡ଼ିଆ ଲଡ଼ୁ ମିଳିବ। ସେହିପରି ୨୦ ଟଙ୍କାରେ ସିଙ୍ଗଡ଼ା ମିଳିବ। ସବୁ ଯାତ୍ରୀ ଏହି ସୁଲଭ ସୁବିଧା ନେଇ ପାରିବେ।
‘ଉଡାନ ଯାତ୍ରୀ କାଫେ’ର ଉଦଘାଟନ ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କିଞ୍ଜରପୁ ଏହି ସୂଚନା ଦେଇଛନ୍ତି। ଏହି ପଦକ୍ଷେପ ସମସ୍ତ ଯାତ୍ରୀଙ୍କ ପାଇଁ ବିମାନ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ କରିବା ପାଇଁ ନିଆଯାଇଛି। କୋଲକାତା, ଚେନ୍ନାଇ, ଅହମ୍ମଦାବାଦ ଏବଂ ପୁଣେରେ ମଧ୍ୟ ସମାନ କାଫେ ଖୋଲାଯାଇଛି। ସରକାର ଗୋଟିଏ ବର୍ଷ ମଧ୍ୟରେ ଏହି କାଫେଗୁଡ଼ିକୁ ୧୦-୧୫ ପ୍ରମୁଖ ଭାରତୀୟ ବିମାନବନ୍ଦରକୁ ବିସ୍ତାର କରିବାକୁ ଯୋଜନା କରୁଛନ୍ତି।
କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ବର୍ଦ୍ଧିତ ଯାତ୍ରୀ ଯାତାୟାତକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ବିମାନବନ୍ଦରରେ ଟର୍ମିନାଲ-୩ ଯୋଜନା କରାଯାଉଛି। ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଯଦି ଜମି ଉପଲବ୍ଧ ହୁଏ ଏବଂ ରାଜ୍ୟ ସରକାର ଏହାର ସମର୍ଥନ କରନ୍ତି ତେବେ ରାଜ୍ୟର ୨୦ ଟି ନୂଆ ଏୟାରଷ୍ଟ୍ରିପ ହୋଇପାରିବ।
