Mon. Dec 23rd, 2024

ନ୍ୟୁଜ ଡେକ୍ସ: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଓଡିଶାର ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥିତ ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟ ପୁଣି ଖୋଲାଯାଇଛି। ଏହା ସାଧାରଣତଃ ନଭେମ୍ବର ୧ ରୁ ଖୋଲାଯାଇଥାଏ। କିନ୍ତୁ ଚଳିତ ବର୍ଷ ପାର୍ବଣଋତୁ ପୂର୍ବରୁ ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କୁ ଦୃଷ୍ଟିରେ ରଖି ଗୁରୁବାରଠାରୁ ଅଭୟାରଣ୍ୟ ଖୋଲାଯାଇଛି।

ରାଜ୍ୟ, ଦେଶ ତଥା ବିଦେଶରୁ ପ୍ରତିବର୍ଷ ଶହ ଶହ ପର୍ଯ୍ୟଟକ ଶିମିଳିପାଳର ବନ୍ୟ ଜୀବଜନ୍ତୁଙ୍କୁ ଦେଖିବା ସହ ନଦୀ, ଝରଣା, ପ୍ରପାତ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତି। ପ୍ରତିବର୍ଷ ନଭେମ୍ବର ୧ ତାରିଖ ଠାରୁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ମଧ୍ୟକୁ ପର୍ଯ୍ୟଟକଙ୍କ ପ୍ରବେଶ ପାଇଁ ଅନୁମତି ଦିଆଯାଇଥାଏ। କିନ୍ତୁ ଏଥର ୨୦ଦିନ ପୂର୍ବରୁ ଅର୍ଥାତ୍ ଆଜି ଠାରୁ ପର୍ଯ୍ୟଟକଙ୍କ ଲାଗି ଶିମିଳିପାଳ ଅଭୟାରଣ୍ୟ ଖୋଲାଯିବା ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥର ପର୍ଯ୍ୟଟକମାନେ ଦୁର୍ଗାପୂଜାରେ ଶିମିଳିପାଳ ଭ୍ରମଣ ସହିତ ରାତ୍ରିଯାପନର ସୁବିଧା ପାଇପାରିବେ। ଜୁନ ୧୨ ତାରିଖଠାରୁ ଶିମିଳିପାଳ ମଧ୍ୟକୁ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ କରାଯାଇଥିଲା। ଶିମିଳିପାଳ ବନ୍ୟଜନ୍ତୁ ଅଭୟାରଣ୍ୟ ପାଇଁ ପ୍ରବେଶ ଅନୁମତି କେବଳ ବାରିପଦା ପିଥାବାଟା ଏବଂ ଜଶିପୁର କାୟାନି ବୁକିଂ କାଉଣ୍ଟରରୁ ସକାଳ ୬ଟା ରୁ ୯ଟା ପର୍ଯ୍ୟନ୍ତ ମିଳିପାରିବ ।

ପର୍ଯ୍ୟଟକମାନେ କେବଳ ଜଶିପୁରର ପିଥାବାଟା ଏବଂ କାଲିଆନି ଦେଇ ଅଭୟାରଣ୍ୟରେ ପ୍ରବେଶ କରିପାରିବେ। ପିଥାବାଟା ଚେକ୍ ଗେଟ୍ ଦେଇ ସର୍ବାଧିକ ୨୫ଟି ଯାନ ଅଭୟାରଣ୍ୟରେ ପ୍ରବେଶ କରିପାରିବ। ସେହିପରି ୩୫ଟି ଯାନ ଜଶିପୁରର କାଲିଆନି ଚେକ୍ ଗେଟ୍ ଦେଇ ଅଭୟାରଣ୍ୟରେ ପ୍ରବେଶ କରିପାରିବ। ଏହା ସହିତ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ପ୍ରବେଶ ପଥରେ ୩୫ଟି ସଫାରି ଯାନ ମଧ୍ୟ ଉପଲବ୍ଧ ହେବ।

Leave a Reply

Your email address will not be published. Required fields are marked *