ନ୍ୟୁଜ ଡେକ୍ସ : ଭକ୍ତମାନଙ୍କୁ ସହଜରେ ଶ୍ରୀଜଗନ୍ନାଥଙ୍କ ଦର୍ଶନର ସୁଯୋଗ ଦେବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ ହୋଇଛି। ଆଜି ଗଞ୍ଜାମ ଜିଲ୍ଲାର ଛତ୍ରପୁର ଠାରେ ଏହାର ଜିଲ୍ଲାସ୍ତରୀୟ ଉଦ୍ଘାଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ଶୁକ୍ରବାର ନବରଙ୍ଗପୁରରୁ ଏହି ଯୋଜନାକୁ ରାଜ୍ୟସ୍ତରରେ ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ଛତ୍ରପୁରରେ ଆୟୋଜିତ କାର୍ଯ୍ୟକ୍ରମରୁ ଦୁଇଟି ବସରେ ୭୪ ଜଣ ଶ୍ରଦ୍ଧାଳୁ ପୁରୀକୁ ଯାତ୍ରା କରିଛନ୍ତି। ଏହି ଯୋଜନାରେ ୬୦ରୁ ୭୫ ବର୍ଷ ବୟସର ବୃଦ୍ଧବୃଦ୍ଧା ଓ ବିଧବା ମହିଳାମାନେ ସାମିଲ ହୋଇଛନ୍ତି। ଶ୍ରଦ୍ଧାଳୁମାନେ ପୁରୀରେ ପହଞ୍ଚିବା ପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ରହଣିବା ବ୍ୟବସ୍ଥା ଓ ମହାପ୍ରସାଦ ବ୍ୟବସ୍ଥା ସରକାର ଓ ପ୍ରଶାସନ ପକ୍ଷରୁ କରାଯିବ।ଯାତ୍ରାର ପୂର୍ବରୁ ଶ୍ରଦ୍ଧାଳୁମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିଲା ଓ ସମଗ୍ର ଯାତ୍ରାକୁ ସୁସଂଗଠିତ କରିବା ପାଇଁ ଜିଲ୍ଲା ପ୍ରଶାସନର ଏକ ଟିମ୍ ମଧ୍ୟ ସେମାନଙ୍କ ସହ ଯାଇଛନ୍ତି।
ପୁରୀରେ ପହଞ୍ଚିଲା ପରେ ପୁରୀ ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ସୁବିଧାଜନକ ଓ ଶୃଙ୍ଖଳିତ ଭାବରେ ଦର୍ଶନ କରାଯିବାକୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଛତ୍ରପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ବିଭାଗୀୟ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟି, ନୋଡାଲ ଅଫିସର ତଥା ଓଏସଆରଟିସି ଜିଏମ୍ ସଞ୍ଜୟ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

