Sun. Feb 22nd, 2026

ନ୍ୟୁଜ ଡେକ୍ସ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶ ଅନୁସାରେ ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶରୁ ନକ୍ସଲବାଦକୁ ମୂଳପୋଛ କରିବା ଅଭିଯାନ ଜୋରଦାର ହୋଇ ଚାଲିଛି। ଏହି ଅଭିଯାନର ଅଂଶ ଭାବରେ ଛତିଶଗଡ଼ରେ ଗତ ଦୁଇ ବର୍ଷ ଧରି ଘନଘନ ଏନକାଉଣ୍ଟର ହୋଇଛି, ଯେଉଁଥିରେ ମୋଟ ୯୯୫ ରୁ ଅଧିକ ନକ୍ସଲ ନିହତ ହୋଇଛନ୍ତି ଓ ୧,୦୦୦ ରୁ ଅଧିକ ନକ୍ସଲକୁ ପୋଲିସ ଗିରଫ କରିଛି।

ସେହିପରି ୧,୩୦୦ ରୁ ଅଧିକ ନକ୍ସଲ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ଫେରି ଆସିଛନ୍ତି।ଗତ କିଛି ମାସ ଧରି ହୋଇଥିବା ଅଭିଯାନରେ ମାଓବାଦୀ ସଂଗଠନର କେନ୍ଦ୍ରୀୟ କମିଟି ମୁଖ୍ୟ ସହିତ ଅନେକ ଟପ୍ କ୍ୟାଡର ନିହତ ହେବା ପରେ ସଂଗଠନ ଗୁରୁତର ଭାବେ ଦୁର୍ବଳ ହୋଇପଡ଼ିଛି। ଏହାର ପରିଣାମରେ ଅନେକ ସଦସ୍ୟ ମାଓ ସଂଗଠନରୁ ମୁହଁ ଫେରାଇ ଆତ୍ମସମର୍ପଣ କରୁଛନ୍ତି। ଏପରି ସମୟରେ ମାଲକାନଗିରି ଜିଲ୍ଲାରେ ମାଓବାଦୀ ଭିତ୍ତିଭୂମି ଦୁର୍ବଳ ହେବା ପରେ ଅନେକ କ୍ୟାଡର ଛତିଶଗଡ଼, ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶ ମୁହାଁ ହୋଇଥିଲେ। ବିଶେଷତଃ ଛତିଶଗଡ଼ର ଘଞ୍ଚ ଜଙ୍ଗଲ ନକ୍ସଲଙ୍କ ପାଇଁ ସୁରକ୍ଷିତ ଆଶ୍ରୟସ୍ଥଳ ହେବାରୁ ସେଠାରେ ଟପ୍ କମାଣ୍ଡର ଓ କେନ୍ଦ୍ରୀୟ କମିଟି ସଦସ୍ୟମାନେ ଆଡ୍ଡା ଜମାଇଥିଲେ।ଏବେ ଖବର ଅନୁସାରେ ଛତିଶଗଡ଼ କ୍ୟାଡର ନକ୍ସଲମାନେ ସରକାର ସହ ଆଲୋଚନା ପାଇଁ ମନସ୍କ ହୋଇଥିବା ବେଳେ, ତେଲେଙ୍ଗାନା ରାଜ୍ୟ କମିଟି ଏହି ପ୍ରସ୍ତାବକୁ ସମର୍ଥନ ନ କରିବାକୁ ସ୍ପଷ୍ଟ କରିଛି।

ଏହାକୁ ନେଇ ମାଓ ସଂଗଠନ ଦୁଇ ଭାଗ ହୋଇଯାଇଛି। ସଂଗଠନରେ ବର୍ତ୍ତମାନ ହାତଗଣତି ନକ୍ସଲ ରହିଥିବାରୁ ଟପ୍ କ୍ୟାଡର ମାଓବାଦୀମାନେ ନୂତନ ଯୋଜନା ନେଇ ସଂଗଠନକୁ ପୁନଃ ସକ୍ରିୟ କରିବା ପାଇଁ ପ୍ରୟାସ ଜୋରଦାର କରିଛନ୍ତି। ଏହି ଯୋଜନାର ମୂଳ ଲକ୍ଷ୍ୟ ହେଉଛି ନାବାଳକ ଓ କମ ବୟସର ଯୁବକମାନଙ୍କୁ ମିଲିସିଆ ମାଧ୍ୟମରେ ସଂଗଠନ ସହ ଯୋଡ଼ିବା।

Leave a Reply

Your email address will not be published. Required fields are marked *