ନ୍ୟୁଜ ଡେକ୍ସ: ବିଜେଡି ନେତା ରାଜା ଚକ୍ର ଗିରଫ। ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ରାଜାଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ। ଶହ ଶହ କୋଟିର ଦୁର୍ନୀତିର ଚିଠା ଖୋଲିଲେ କ୍ରାଇମବ୍ରାଞ୍ଚ ଏଡିଜି। ରାଜାଙ୍କ ସମେତ ଏପର୍ଯ୍ୟନ୍ତ ମୋଟ ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ। ଗନ୍ଧମାର୍ଦ୍ଧନ ଲୋଡିଂ ଏଜେନ୍ସିରେ ଆର୍ଥିକ ଅନିୟମକିତତା ଘଟଣାରେ ଆଜି କ୍ରଇମବ୍ରାଞ୍ଚ ରାଜା ଚକ୍ରଙ୍କୁ ଗିରଫ କରାଯାଇଛି ।
ଏନେଇ କ୍ରାଇମବ୍ରାଞ୍ଚ କହିଛି, ୨୦୧୭-୧୮ରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ୧୮୫ କୋଟି ଆୟ କରିଥିଲା ରାଜା ଚକ୍ରଙ୍କ ଏଜେନ୍ସି । ଆୟ ଏହାଠାରୁ ଅଧିକ ବି ହୋଇପାରେବୋଲି କ୍ରାଇମବ୍ରାଞ୍ଚ କହିଛି । ଏନେଇ ଅଡିଟ୍ ହେଲେ ଜଣାପଡ଼ିବ । ଅନ୍ୟପଟେ ପାରିପାର୍ଶ୍ବିକ ବିକାଶ ପାଇଁ ୩୪ କୋଟି ଖର୍ଚ୍ଚ ହୋଇଥିବା ରାଜା ଦର୍ଶାଇଥିବା ବେଳେ କୌଣସି ପାରିପାର୍ଶ୍ବିକ ବିକାଶ ହୋଇନଥିବା ୨ ଜଣ ବିଡିଓ କହିଛନ୍ତି । ଏଥିସହିତ ସହାୟତା ନାଁରେ ୪ ବର୍ଷରେ ଗାଁ ଲୋକଙ୍କୁ ୩୩ କୋଟି ଟଙ୍କା ବଣ୍ଟା ହୋଇଛି ବୋଲି କହିଛି କ୍ରାଇମବ୍ରାଞ୍ଚ । ରାଜା ଚକ୍ର ତାଙ୍କର ବ୍ୟବସାୟ ଚଳାଇବା ପାଇଁ ଶଙ୍କର ମିନେରାଲ୍, ଶଙ୍କର ଟ୍ରାନ୍ସପୋର୍ଟିଂ ଶଙ୍କର ରୋଡୱେଜ୍ ଏବଂ ଶଙ୍କର ପ୍ରୋଜେକ୍ଟ ଇତ୍ୟାଦି ପ୍ରତିଷ୍ଠା କରିଛନ୍ତି।
ତାଙ୍କର ୪୨ଟି ଗାଡି ଏବଂ ଆଉ ଦୁଇଟି ସ୍କ୍ରିନିଂ ପ୍ଲାଣ୍ଟ ଜବତ କରାଯାଇଛି। କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ରାଜାଙ୍କ ୧୭ଟି ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିଛି। ଅନେକ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି ଏବଂ ବ୍ୟାଙ୍କଗୁଡ଼ିକରେ ପ୍ରାୟ ୨୫ ଲକ୍ଷ ଟଙ୍କାର ଜମା ଫ୍ରିଜ୍ କରାଯାଇଛି। ଏସମ୍ପର୍କରେ ତାଙ୍କୁ ଅଧିକ ପଚରାଉଚରା ପାଇଁ ଏବଂ ସମଗ୍ର ଦୁର୍ନୀତିରେ ତାଙ୍କର ଭୂମିକା ସ୍ପଷ୍ଟ କରିବା ପାଇଁ ତାଙ୍କୁ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଗିରଫ କରିଛି।
