ନ୍ୟୁଜ ଡେକ୍ସ: ବଲାଙ୍ଗିର ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ପୋଲିସ-ମାଓବାଦୀ ମୁହାଁମୁହିଁ। ଖପ୍ରାଖୋଲ ବ୍ଲକ ଭାନପୁର ଗାଁ ନିକଟରେ ଏନକାଉଣ୍ଟର ହୋଇଛି। ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି। ଗନ୍ଧମାର୍ଦ୍ଦନରେ ଏବେ ବଲାଙ୍ଗିର ଓ ବରଗଡ଼ ପୋଲିସ ପକ୍ଷରୁ ମିଳିତ କମ୍ବିଂ ଅପରେସନ କରାଯାଉଛି।
ବଲାଙ୍ଗିର ଏସପି ରିସିକେଶ ଖିଲାରୀ ଏନେଇ ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ, ଧିରେ ଧିରେ ରାଜ୍ୟ ମୁହାଁ ହେଉଛନ୍ତି ଲାଲବାହିନୀ । ଗତ ମଙ୍ଗଳବାର ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ କାଙ୍କେର ଏବଂ ନାରାୟଣପୁର ଜିଲ୍ଲା ସୀମାନ୍ତରେ ଗୁଳିବିନିମୟରେ ଜଣେ ହାର୍ଡକୋର ମାଓବାଦୀ ନିହତ ହୋଇଥିଲା । ଘଟଣାସ୍ଥଳରୁ ଗୋଟିଏ ଏସଏଲଆର ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଥିଲେ ସୁରକ୍ଷାକର୍ମୀ ।
ସେହିପରି ଗତ ଶନିବାର ଛତିଶଗଡ଼ର ବୀଜାପୁର ଜିଲ୍ଲାରେ ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ସୁରକ୍ଷାକର୍ମୀଙ୍କ ଗୁଳିରେ ୮ ଜଣ ମାଓବାଦୀ ନିହତ ହୋଇଥିଲେ। ଛତିଶଗଡ଼ର ଟୋଡକା ଗ୍ରାମ ପାଖରେ ଥିବା ଜଙ୍ଗଲରେ ନକ୍ସଲ ବିରୋଧୀ ଅଭିଯାନ ସମୟରେ ମାଓବାଦୀ ସଂଗଠନର ଆଠଜଣ ସଦସ୍ୟ ନିହତ ହୋଇଥିଲେ। ଉକ୍ତ ୮ଜଣଙ୍କ ଉପରେ ୧୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା ।
