ନ୍ୟୁଜ ଡେକ୍ସ : ନୂଆପଡ଼ା ଜିଲ୍ଲା ସୀମାନ୍ତ Chhattisgarhର Gariaband district ଅଞ୍ଚଳରେ ମାଓବାଦୀ କ୍ୟାମ୍ପ ଠାବ ହୋଇଛି। ମେନପୁର ଥାନା ଅନ୍ତର୍ଗତ ବଡ଼ଗୋବରା ଗାଁ ନିକଟସ୍ଥ ସାପସାଟି ପାହାଡ଼ରୁ ଏହି କ୍ୟାମ୍ପ ଚିହ୍ନଟ କରାଯାଇଛି। ମାଟିତଳୁ ୪୬ ଲକ୍ଷ ୩୧ ହଜାର ୫ ଶହ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି।ଗରିଆବନ୍ଧ ଜିଲ୍ଲା ପ୍ରଶାସନ ନିକଟରେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ପଚରାଉଚରା କରିବା ପରେ ଏହି ତଥ୍ୟ ମିଳିଥିଲା।
ସାପସାଟି ପାହାଡ଼ରେ ଧମତରୀ-ଗରିଆବନ୍ଧ-ନୂଆପଡ଼ା ଡିଭିଜନ ମାଓ ସଂଗଠନ ପକ୍ଷରୁ ମାଟିତଳେ ବନ୍ଧୁକ ଓ ବିସ୍ଫୋରକ ସାମଗ୍ରୀ ଲୁଚାଇ ରଖାଯାଇଥିବା ସେମାନେ ଖୋଲାସା କରିଥିଲେ।ଏହାପରେ ଗରିଆବନ୍ଧ ଜିଲ୍ଲା ଇ-୩୦ ପୁଲିସ ଟିମ୍ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲାଯାଇଥିଲା। ଯବାନମାନେ ସେଠାରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ, ବନ୍ଧୁକ, ମାଗାଜିନ୍ ଓ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରିଛନ୍ତି।
ସେଥିସହ ମାଟି ତଳେ ପୋତାଯାଇଥିବା ୪୬ ଲକ୍ଷ ୩୧ ହଜାର ୫ ଶହ ଟଙ୍କା ମଧ୍ୟ ଉଦ୍ଧାର କରାଯାଇଛି। ଏବେ ସଂପୃକ୍ତ ଅଞ୍ଚଳରେ ପୋଲିସ ପକ୍ଷରୁ କମ୍ବିଂ ଅପରେସନ ଜାରି ରହିଛି ବୋଲି ଗରିଆବନ୍ଧ ଏସପି ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପୁନର୍ବାସ ଓ ଥଇଥାନ ନୀତିରେ ପ୍ରଭାବିତ ହୋଇ କିଛି ମାଓବାଦୀ ଛତିଶଗଡ଼ ସରକାରଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି।

