Sat. Feb 21st, 2026

ନ୍ୟୁଜ ଡେକ୍ସ : ନୂଆବର୍ଷ ଆରମ୍ଭରୁ ଓଡ଼ିଶା ରାଜନୀତିରେ ହଲଚଲ ଦେଖାଦେଇଛି। କଂଗ୍ରେସରୁ ବହିଷ୍କୃତ ନେତା ମହମ୍ମଦ ମୋକିମଙ୍କ ନିଆଁ ଲଗାଇଦେଇଥିବା ଏକ ପୋଷ୍ଟର ଏବେ ରାଜନୈତିକ ମହଳରେ ବଡ଼ ଚର୍ଚ୍ଚାର କାରଣ ପାଲଟିଛି। କଟକର ବିଭିନ୍ନ ସ୍ଥାନରେ ଲାଗିଥିବା ନୂଆବର୍ଷ ଅଭିନନ୍ଦନ ପୋଷ୍ଟରରେ କେବଳ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଓ ମହମ୍ମଦ ମୋକିମଙ୍କ ଫଟୋ ଥିଲା। ଆଶ୍ଚର୍ଯ୍ୟର କଥା, ଏଥିରେ କଂଗ୍ରେସ ଦଳର କୌଣସି ଚିହ୍ନ କିମ୍ବା ଅନ୍ୟ ନେତାଙ୍କ ଫଟୋ ନଥିଲା।

ଏହି ପୋଷ୍ଟରକୁ ନେଇ ଦିନକୁ ଦିନ ଚର୍ଚ୍ଚା ବଢ଼ିଥିବା ବେଳେ, ଏବେ ସେହି ସବୁ ଅନୁମାନ ଉପରେ ନିଜେ ମହମ୍ମଦ ମୋକିମ ପୂର୍ଣ୍ଣଛେଦ ପକାଇଛନ୍ତି। ଗଣମାଧ୍ୟମ ସାମ୍ନାରେ ସେ ସ୍ପଷ୍ଟ କରିଛନ୍ତି ଯେ, ରାଜ୍ୟରେ ଖୁବଶୀଘ୍ର ଏକ ନୂଆ ଆଞ୍ଚଳିକ ଦଳ ଗଠନ ହେବ ଏବଂ ସେ ନିଜେ ଏହାର ନେତୃତ୍ୱ ନେବେ। ମୋକିମ କହିଛନ୍ତି ଯେ, ଓଡ଼ିଶାରେ ଅନେକ ଉଦୟମାନ ଯୁବ ନେତୃତ୍ୱ ରହିଛନ୍ତି, ଯାହାଙ୍କୁ କେବଳ ଏକ ସୁଯୋଗର ଆବଶ୍ୟକତା ଅଛି। ବର୍ତ୍ତମାନ ବିଜେପି ସରକାର ଓ ବିଜେଡିର ରାଜନୈତିକ ଗତିପଥକୁ ଦେଖି ରାଜ୍ୟ ଏକ ବିକଳ୍ପ ଚାହୁଁଛି ବୋଲି ସେ କହିଛନ୍ତି। ଏହି ନୂଆ ଦଳ ଯୁବ, ବୁଦ୍ଧିଜୀବୀ ଓ ନୂଆ ଚିନ୍ତାଧାରାର ଲୋକଙ୍କୁ ଏକ ମଞ୍ଚ ଦେବ।ତାଙ୍କ କଥା ଅନୁଯାୟୀ, ବହୁ ଯୁବକ ଓ ଯୁବନେତା ଏବେ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି।

ଏହା ସହ ବିଜେଡିର କିଛି ଅସନ୍ତୁଷ୍ଟ ନେତା ମଧ୍ୟ ନୂଆ ଆଞ୍ଚଳିକ ଦଳ ସମ୍ପର୍କରେ ଆଲୋଚନା କରୁଥିବା କଥା ମୋକିମ ସଙ୍କେତ ଦେଇଛନ୍ତି। ନୂଆ ଆଞ୍ଚଳିକ ଦଳ ଗଠନ ନେଇ ଏହି ଘୋଷଣା ପରେ ଓଡ଼ିଶା ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି। କଂଗ୍ରେସ, ବିଜେଡି ଓ ବିଜେପି—ତିନୋଟି ପ୍ରମୁଖ ଦଳ ମଧ୍ୟରେ ଏବେ କିଏ କାହାକୁ ଛାଡ଼ିବେ, ସେଥିପାଇଁ ସନ୍ଦେହ ଓ ଆଶଙ୍କାର ପରିବେଶ ଦେଖାଦେଇଛି। ଆଗାମୀ ଦିନରେ ମୋକିମଙ୍କ ନୂଆ ଆଞ୍ଚଳିକ ଦଳ ଓଡ଼ିଶା ରାଜନୀତିରେ କେମିତି ନୂଆ ସମୀକରଣ ସୃଷ୍ଟି କରିବ, ସେଥିପାଇଁ ସମସ୍ତଙ୍କ ନଜର ଏବେ ଆଗାମୀ ଘଟଣାକ୍ରମ ଉପରେ।

Leave a Reply

Your email address will not be published. Required fields are marked *