ନ୍ୟୁଜ ଡେକ୍ସ : ଗଣଶିକ୍ଷା ବିଭାଗରେ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ବଦଳି ଏବଂ ନିଯୁକ୍ତିନେଇ ନୀତି ପ୍ରସ୍ତୁତ । ସାଧାରଣ ପ୍ରଶାସନ ବିଭାଗ ନିୟମ ଅନୁସାରେ ବାର୍ଷିକ ବଦଳି ଏପ୍ରିଲ ୧୫ରୁ ଜୁନ୍ ୧୫ ମଧ୍ୟରେ ହେବ । ଏଥିସହ ନିଜ ଜିଲ୍ଲାରେ ଶିକ୍ଷକଙ୍କୁ ମିଳିବନି ନିଯୁକ୍ତି । ନିଜ ଜିଲ୍ଲାରେ ନିଯୁକ୍ତି ନ ଦେବାକୁ ହୋଇଛି ସ୍ଥିର ।
ନିଜ ଜିଲ୍ଲାରେ ନିଯୁକ୍ତି ପାଇଲେ ବି ତାଙ୍କୁ ନିଜ ବ୍ଲକରେ ରହିବାକୁ ଅନୁମତି ଦିଆଯିବ ନାହିଁ । ସେହିପରି, ଜିଲ୍ଲା କ୍ୟାଡର କୌଣସି ଅଧିକାରୀ କିମ୍ବା କର୍ମଚାରୀ ଗୋଟିଏ ସ୍ଥାନରେ ଅତିକମରେ ୩ ବର୍ଷ କାମ କରିବା ପରେ ବଦଳି ପାଇଁ ଯୋଗ୍ୟ ହେବେ, କିନ୍ତୁ ୬ ବର୍ଷରୁ ଅଧିକ ରହିପାରିବେ ନାହିଁ । ଅବିଭକ୍ତ କେବିକେ, ଗଜପତି, କନ୍ଧମାଳ କିମ୍ବା ବୌଦ୍ଧ ଜିଲ୍ଲାରେ ୫ ବର୍ଷ ପୂରଣ କରିଥିଲେ ଅନ୍ୟ ଜିଲ୍ଲାକୁ ବଦଳି ହୋଇପାରିବେ ।
ଅନ୍ୟ ଜିଲ୍ଲାରେ ୧୦ ବର୍ଷ କାମ କରିଥିବା ଶିକ୍ଷକମାନେ କେବିକେ, ଗଜପତି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାଗୁଡ଼ିକରେ ନିଯୁକ୍ତ ହେବେ ।ଅବସର ଗ୍ରହଣ କରିବାକୁ ଦୁଇ ବର୍ଷ ଥିବା ଅଧିକାରୀଙ୍କୁ ଯେଉଁଠାରେ ଅଛନ୍ତି ସେଠାରେ ରଖିବା କିମ୍ବା ସେମାନେ ନିଜ ଜିଲ୍ଲାକୁ ବଦଳି ହୋଇପାରିବେ । ଯଦି ସ୍ବାମୀ-ସ୍ତ୍ରୀ ସରକାରୀ କର୍ମଚାରୀ ହୋଇଥାନ୍ତି ତାହା ହେଲେ ସେମାନଙ୍କୁ ନିକଟସ୍ଥ କିମ୍ବା ପାଖ ଅଞ୍ଚଳରେ ନିଯୁକ୍ତି ଦିଆଯାଇପାରିବ ।
