ନ୍ୟୁଜ ଡେକ୍ସ : ବଙ୍ଗୋପସାଗରରେ ଉଦ୍ଭବ ହୋଇଥିବା ସାମୁଦ୍ରିକ ଝଡ ‘ମୋନ୍ଥା’ ଏବେ ଧୀରେ ଧୀରେ ଶକ୍ତି ସଂଗ୍ରହ କରୁଛି। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ସୂଚନା ମିଳିଛି ଯେ, ଏହି ବାତ୍ୟାର ପ୍ରଭାବ ଆନ୍ଧ୍ରପ୍ରଦେଶ ଉପରେ ଅଧିକ ଅନୁଭବ ହେବାର ସମ୍ଭାବନା ରହିଛି।ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୮ ତାରିଖ ରାତି ସୁଧା ବାତ୍ୟା ସ୍ଥଳଭାଗ ଛୁଇଁପାରେ।
ବାତ୍ୟାର ପୂର୍ବ ପ୍ରଭାବ ଆଜିଠୁ ଗୋପାଳପୁର ଓ ତାହାର ଆଖପାଖ ଅଞ୍ଚଳରେ ଦେଖାଯାଇଛି। ସକାଳୁ ସକାଳୁ ପବନ ସହିତ ବର୍ଷା ଓ ଘଡ଼ଘଡ଼ି ହେବାରେ ଆରମ୍ଭ ହୋଇଛି।ବାତ୍ୟାର ପ୍ରକୋପରେ ଗୋପାଳପୁର ସମୁଦ୍ର ଧୀରେ ଧୀରେ ଅଶାନ୍ତ ହୋଇ ଉଗ୍ର ରୂପ ଧାରଣ କରୁଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୋପାଳପୁର ବନ୍ଦରକୁ ଦୁଇ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋପାଳପୁର ଓ ସୁନାପୁର ବେଳାଭୂମିରେ ପର୍ଯ୍ୟଟକମାନଙ୍କୁ ଯିବାକୁ ନିଷେଧ କରାଯାଇଛି।
ସେହିପରି ମତ୍ସ୍ୟଜୀବୀମାନଙ୍କୁ ୨୯ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବାକୁ ସତର୍କତା ଜାରି କରାଯାଇଛି।ପ୍ରଶାସନ ପକ୍ଷରୁ ଆଗୋଆ ପ୍ରସ୍ତୁତି ନିଆଯାଇଛି। ରଙ୍ଗେଇଲୁଣ୍ଡା ବ୍ଲକ ଓ ଗୋପାଳପୁର ଏନଏସି ପ୍ରଶାସନ ସମସ୍ତ ଲାଇନ ବିଭାଗ ସହିତ ସଜାଗ ରହିଛନ୍ତି।ପାଣିପାଗ ବିଭାଗ ପକ୍ଷରୁ ଆହୁରି ସତର୍କ ସୂଚନା ଜାରି ହୋଇଛି ଯେ, ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଜୋର ପବନ ବହିପାରେ।

