Sat. Feb 21st, 2026

ନ୍ୟୁଜ ଡେକ୍ସ : ଗ୍ରୀଷ୍ମ ଋତୁ ପୂର୍ବରୁ ଜଙ୍ଗଲ ନିଆଁର ଆଶଙ୍କା ବଢ଼ୁଥିବା ବେଳେ ଓଡ଼ିଶା ବନ ବିଭାଗ ଏହାକୁ ମୁକାବିଲା କରିବା ପାଇଁ ଦୃଢ଼ ଓ ସମନ୍ୱିତ ପ୍ରସ୍ତୁତି ଆରମ୍ଭ କରିଛି। ଆସନ୍ତା ବନାଗ୍ନି ଋତୁକୁ ସଫଳତାର ସହ ମୁକାବିଲା କରିବା ଲକ୍ଷ୍ୟରେ ବିଭାଗର ପ୍ରସ୍ତୁତି ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏନେଇ ଭୁବନେଶ୍ୱରସ୍ଥିତ ‘ଅରଣ୍ୟ ଭବନ’ରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନ ବାହିନୀ ମୁଖ୍ୟ ଡା. କେ. ମୁରୁଗେସନଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା।

ସମ୍ବାଦିକ ସମ୍ମିଳନୀରେ ପିସିସିଏଫ୍ ଡା. ମୁରୁଗେସନ କହିଛନ୍ତି ଯେ, ଜଙ୍ଗଲ ନିଆଁ ଲାଗିଲେ ସତ୍ବର ସୂଚନା ପାଇଁ ଲୋକମାନେ ୧୮୦୦୩୪୫୭୧୫୮ ନମ୍ବରରେ ଫୋନ୍ କରିବାକୁ ଅନୁରୋଧ କରାଯାଇଛି। ଏହା ସହିତ ଜାଣିଶୁଣି ଜଙ୍ଗଲରେ ନିଆଁ ଲଗାଇଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି।ବନାଗ୍ନି ରୋକିବା ପାଇଁ ଏହି ବର୍ଷ ବୈଷୟିକ କୌଶଳକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଶିମିଳିପାଳ ଓ ରାଉରକେଲା ଅଞ୍ଚଳରେ କ୍ୟାମେରା ସଂସ୍ଥାପନ କରି ଜଙ୍ଗଲ ଉପରେ ୨୪ ଘଣ୍ଟିଆ ନଜର ରଖାଯିବ। ଆବଶ୍ୟକ ସ୍ଥାନରେ ମିନି ଡ୍ରୋନ୍ ବ୍ୟବହାର କରାଯାଇ ନିଆଁର ପ୍ରାରମ୍ଭିକ ସଙ୍କେତକୁ ତୁରନ୍ତ ଚିହ୍ନଟ କରାଯିବ। ଏହା ସହିତ କୃତ୍ରିମ ବୁଦ୍ଧିମତ୍ତା (AI) ସଂଚାଳିତ କ୍ୟାମେରା ମାଧ୍ୟମରେ ଆଗୁଆ ସତର୍କ ସଙ୍କେତ ମିଳିବ। ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ସାରା ରାଜ୍ୟରେ ୨୦,୪୬୧ କିଲୋମିଟର ଫାୟାର ଲାଇନ୍ ସୃଷ୍ଟି କରାଯାଇଛି, ଯାହା ନିଆଁର ପ୍ରସାରକୁ ଅଟକାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ଏହା ସହିତ ରେଞ୍ଜ ଓ ବିଟ୍ ସ୍ତରରେ ୩୩୪ଟି ସ୍ୱତନ୍ତ୍ର ସୁରକ୍ଷା ଦଳ ମୁତୟନ କରାଯାଇଛି।

ଏହି ଟିମ୍‌ମାନଙ୍କୁ ୫,୦୦୦ରୁ ଅଧିକ ଲିଫ୍ ବ୍ଲୋଅର୍ ଓ ଅନ୍ୟାନ୍ୟ ଅଗ୍ନି ନିର୍ବାପକ ସାମଗ୍ରୀ ଯୋଗାଇ ଦିଆଯାଇଛି, ଯାହା ନିଆଁକୁ ଶୀଘ୍ର ନିୟନ୍ତ୍ରଣରେ ଆଣିବାରେ ସହାୟକ ହେବ।କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ୬୩୧ରୁ ଅଧିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ ପ୍ରାୟ ୨୦୦ ଜଣ ଏନଡିଆରଏଫ (NDRF) କର୍ମଚାରୀଙ୍କୁ ମଧ୍ୟ ବନାଗ୍ନି ପ୍ରତିରୋଧ ପାଇଁ ବିଶେଷ ତାଲିମ ଦିଆଯାଇଛି। ଏହା ଦ୍ୱାରା ଆପାତକାଳୀନ ପରିସ୍ଥିତିରେ ଦ୍ରୁତ ଓ କାର୍ଯ୍ୟକାରୀ ପଦକ୍ଷେପ ନିଆଯିବ।ବନ ବିଭାଗ ପକ୍ଷରୁ ସ୍ଥାନୀୟ ସମୁଦାୟ, ବନ ସୁରକ୍ଷା ସମିତି ଓ ଇକୋ–ଡିଭେଲପମେଣ୍ଟ କମିଟିଙ୍କ ସହଯୋଗରେ ୩୩୬ଟି ଗ୍ରାମରେ ସଚେତନତା ଅଭିଯାନ ଚାଲିଛି।

ଲୋକମାନଙ୍କୁ ବନାଗ୍ନିର ଭୟାବହତା ଓ ଏହାର ପରିଣାମ ବିଷୟରେ ସଚେତନ କରାଯାଉଛି। ବୈଠକରେ ଏହା ମଧ୍ୟ କୁହାଯାଇଛି ଯେ, ବନାଗ୍ନି କେବଳ ଜଙ୍ଗଲକୁ ନୁହେଁ, ବରଂ ବନ୍ୟପ୍ରାଣୀ ଓ ଜଙ୍ଗଲ ଉପରେ ନିର୍ଭର କରୁଥିବା ଲୋକମାନଙ୍କ ଜୀବିକାକୁ ମଧ୍ୟ ଗଭୀର ଭାବେ ପ୍ରଭାବିତ କରେ। ସେହିହେତୁ ସରକାର, ବନ ବିଭାଗ ଓ ସାଧାରଣ ଲୋକଙ୍କ ସଂଯୁକ୍ତ ପ୍ରୟାସରେ ମାତ୍ର ବନାଗ୍ନିକୁ ରୋକିହେବ ବୋଲି ଆହ୍ୱାନ ଦିଆଯାଇଛି।

Leave a Reply

Your email address will not be published. Required fields are marked *