Sat. Feb 21st, 2026

ନ୍ୟୁଜ ଡେକ୍ସ : ଘନ କୁହୁଡ଼ି ପାଇଁ ରାଜଧାନୀ ଭୁବନେଶ୍ୱରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଦୃଶ୍ୟମାନତା ହ୍ରାସ ପାଇବାରୁ ସକାଳୁ ସକାଳୁ ଯାନବାହନ ଚଳାଚଳ ସହ ବିମାନ ଉଡାଣ ମଧ୍ୟ ପ୍ରଭାବିତ ହୋଇଛି। ଘନ କୁହୁଡ଼ିର ଅଧିକ ପ୍ରଭାବ ରାଜଧାନୀର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପଡ଼ିଥିବା ଜଣାପଡ଼ିଛି।ସୂଚନା ଅନୁଯାୟୀ, ସକାଳେ ବିମାନବନ୍ଦର ପରିସରରେ ଦୃଶ୍ୟମାନତା ପ୍ରାୟ ୨୦୦ ମିଟରକୁ ଖସିଯାଇଥିଲା।

ଏହାର ପ୍ରଭାବରେ ୧୦ରୁ ଅଧିକ ବିମାନ ଉଡାଣ ବିଳମ୍ବିତ ହୋଇଥିବା ବେଳେ ଯାତ୍ରୀମାନେ ଭାରୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଦୀର୍ଘ ସମୟ ଧରି ଅପେକ୍ଷା କରିବାରୁ ବିମାନବନ୍ଦର ପରିସରରେ ଭିଡ଼ ଜମିଥିବା ଦେଖାଯାଇଛି।କୁହୁଡ଼ି ଯୋଗୁଁ ଗୌହାଟି, ମୁମ୍ବାଇ, ଦିଲ୍ଲୀ ଏବଂ ପ୍ରୟାଗରାଜ ଗନ୍ତବ୍ୟସ୍ଥଳକୁ ଯାଉଥିବା ଉଡ଼ାଣଗୁଡ଼ିକ ବିଳମ୍ବର ସମ୍ମୁଖୀନ ହୋଇଛି। କିଛି ଉଡ଼ାଣର ସମୟ ପୁନଃନିର୍ଦ୍ଧାରିତ କରାଯାଇଥିବା ବେଳେ ଏପର୍ଯ୍ୟନ୍ତ କୌଣସି ବିମାନ ବାତିଲ ହୋଇନାହିଁ ବୋଲି ସୂଚନା ମିଳିଛି। ତେବେ ଉଲ୍ଲେଖଯୋଗ୍ୟ ଯେ, ରନୱେ ଦୃଶ୍ୟମାନତା ସର୍ବନିମ୍ନ ସୀମାଠାରୁ ତଳକୁ ଖସିଯାଇଥିବାରୁ ପୂର୍ବରୁ ଅତି କମରେ ତିନୋଟି ଉଡ଼ାଣ ବାତିଲ କରାଯାଇଥିଲା ଏବଂ ପାଞ୍ଚଟି ଉଡ଼ାଣ ବିଳମ୍ବିତ ହୋଇଥିଲା।

ଶନିବାର ଗୋଆ, କୋଲକାତା, ଗୌହାଟି, ଉତକେଲା, ଜୟପୁର, ଦିଲ୍ଲୀ, ହାଇଦ୍ରାବାଦ ଓ ଚେନ୍ନାଇ ସମେତ ବିଭିନ୍ନ ଗନ୍ତବ୍ୟସ୍ଥଳକୁ ଯାଉଥିବା ଉଡ଼ାଣଗୁଡ଼ିକ ୨ରୁ ୨.୫ ଘଣ୍ଟା ପର୍ଯ୍ୟନ୍ତ ବିଳମ୍ବର ସମ୍ମୁଖୀନ ହୋଇଥିଲେ।ପାଣିପାଗ ବିଭାଗ ପକ୍ଷରୁ ଆଗାମୀ କିଛି ଦିନ ଯାଏଁ ସକାଳ ବେଳେ ଘନ କୁହୁଡ଼ି ରହିବାର ସମ୍ଭାବନା ଥିବାରୁ ଲୋକଙ୍କୁ ସତର୍କ ରହିବା ସହ ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *