ନ୍ୟୁଜ ଡେକ୍ସ : ରାଜ୍ୟରେ ଚାଲିଥିବା ଶୀତ ଲହରୀ ସହ ଘନ କୁହୁଡ଼ିର ପ୍ରଭାବ ଆହୁରି ବଢ଼ିଛି। ଆଜି ସକାଳେ ପ୍ରବଳ କୁହୁଡ଼ିରେ ପୁରୀର ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ଭାବେ ଲୁଚିଯାଇଥିଲା। ଘନ କୁହୁଡ଼ି ହେବାରୁ ଶ୍ରୀମନ୍ଦିର ସହ ନୀଳଚକ୍ର ମଧ୍ୟ ଦୃଶ୍ୟମାନ ହେଉନଥିଲା। କୁହୁଡ଼ିର ମାତ୍ରା ଏତେ ଅଧିକ ଥିଲା ଯେ ଅତି ନିକଟରୁ ମଧ୍ୟ ମନ୍ଦିର ଦେଖିବା ଦୁର୍ହର ହୋଇପଡ଼ିଥିଲା।
ସେହିପରି ପୁରୀର ବଡ଼ ଦାଣ୍ଡ ଅଞ୍ଚଳରେ ମଧ୍ୟ ପ୍ରବଳ କୁହୁଡ଼ି ଯୋଗୁଁ ଦୃଶ୍ୟମାନ କ୍ଷମତା ଭାରି କମିଯାଇଥିଲା। କମ ଦୃଶ୍ୟମାନତା ହେତୁ ସକାଳ ସମୟରେ ଯାନବାହନ ଚଳାଚଳରେ ସମସ୍ୟା ସୃଷ୍ଟି ହୋଇଥିବା ସହ ପଥଚାରୀମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥିଲେ।କେବଳ ପୁରୀ ନୁହେଁ, କୁହୁଡ଼ିର ପ୍ରଭାବ କୋଣାର୍କରେ ମଧ୍ୟ ଦେଖିବାକୁ ମିଳିଛି।
ଘନ କୁହୁଡ଼ି ଯୋଗୁଁ ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ମଧ୍ୟ କୁହୁଡ଼ି ଆବରଣରେ ଲୁଚିଯାଇଥିଲା, ଯାହା ପର୍ଯ୍ୟଟକମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥିଲା।ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ଦିନରେ ମଧ୍ୟ ଘନ କୁହୁଡ଼ି ରହିବାର ଆଶଙ୍କା ଥିବା କଥା କୁହାଯାଇଛି। ସକାଳ ସମୟରେ ଯାତ୍ରା କରିବା ବେଳେ ସତର୍କ ରହିବାକୁ ଓ ଆବଶ୍ୟକ ନ ହେଲେ ଘରୁ ବାହାରିବା ଏଡ଼ାଇବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି।

