ନ୍ୟୁଜ ଡେକ୍ସ : ରାଜ୍ୟରେ ବର୍ତ୍ତମାନ ଘନ କୁହୁଡ଼ି ପ୍ରବଳ ମାତ୍ରାରେ ଛାଇ ରହିଥିବାରୁ ସାଧାରଣ ଜୀବନ ଭାରି ପ୍ରଭାବିତ ହେଉଛି। ଦୃଶ୍ୟମାନତା କମିଯିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପରିସ୍ଥିତିରେ ନୂଆବର୍ଷ ଦିନ ପ୍ରବଳ କୁହୁଡ଼ି ଯୋଗୁ ଚିଲିକାରେ ଗୋଟିଏ ଭସାପୋଲ ଫସିଯାଇଥିଲା ଓ ସେଠାରୁ ପାଣିରେ ଖସିପଡ଼ି ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା।
ଏହି ଦୁର୍ଘଟଣା ପରେ ପ୍ରଶାସନ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଘନ କୁହୁଡ଼ି ନକମିବା ପର୍ଯ୍ୟନ୍ତ ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ ରଖିବାକୁ ପୁରୀ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହାଅନୁସାରେ ଆଜି ସକାଳ ୧୧ଟା ପର୍ଯ୍ୟନ୍ତ ଡଙ୍ଗା ଚଳାଚଳକୁ ବାରଣ କରାଯାଇଛି।ଏନେଇ ପୁରୀ ଏସପି, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ପୁରୀ ପର୍ଯ୍ୟଟନ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଏବଂ କୋଣାର୍କ ପର୍ଯ୍ୟଟନ ଉନ୍ନୟନ ଅଧିକାରୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଠି ଜାରି କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଇଛି।
ତେବେ ଆଜି ସକାଳୁ ଡଙ୍ଗା ଚଳାଚଳ ବନ୍ଦ ରହିଥିବାରୁ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକମାନେ ସାମାନ୍ୟ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଗୁରୁବାର ସାତପଡାରୁ ଜହ୍ନିକୁଦା ଯାଉଥିବା ଭସାପୋଲରେ ଯାତ୍ରା ସମୟରେ ପାଣିରେ ଖସିପଡ଼ି ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଜଳ ଯାତ୍ରା ପାଇଁ ସେଫଟି ଜ୍ୟାକେଟ ପିନ୍ଧିବାକୁ ସରକାର ବାଧ୍ୟତାମୂଳକ କରିଥିବା ସତ୍ତ୍ୱେ, ସେ ଯାତ୍ରୀ ଜ୍ୟାକେଟ ପିନ୍ଧିନଥିବା କୁହାଯାଇଛି।
ମୃତ ବ୍ୟକ୍ତିଙ୍କ ନାମ ଉମା ଶଙ୍କର ସାବତ (୬୦) ବୋଲି ଜଣାପଡ଼ିଛି। ସେ ମାଲକାନଗିରି ଜିଲ୍ଲାର ବାଲିମେଳା ଅଞ୍ଚଳର ବାସିନ୍ଦା ବୋଲି ସୂଚନା ମିଳିଛି।ପ୍ରଶାସନ ପକ୍ଷରୁ କୁହୁଡ଼ି ସମୟରେ ଜଳ ଯାତ୍ରା ଏଡ଼ାଇବା ସହ ସୁରକ୍ଷା ନିୟମ କଠୋର ଭାବେ ପାଳନ କରିବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଇଛି।

