Sat. Feb 21st, 2026

ନ୍ୟୁଜ ଡେକ୍ସ : ରାଜ୍ୟର ଯୁକ୍ତ–୨ (ପ୍ଲସ୍–୨) ପରୀକ୍ଷା ସୂଚୀକୁ ନେଇ ଛାତ୍ରଛାତ୍ରୀଙ୍କ ପାଇଁ ଅପେକ୍ଷାର ଅବସାନ ହୋଇଛି। ଶିକ୍ଷା ପରିଷଦ (CHSE) ପକ୍ଷରୁ ଆସନ୍ତା ବର୍ଷ ହେବାକୁ ଥିବା ପ୍ଲସ୍–୨ ଥିଓରି ପରୀକ୍ଷା ସୂଚୀ ଘୋଷଣା କରାଯାଇଛି। ଆସନ୍ତା ଫେବୃୟାରୀ ୧୮ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ।ଏନେଇ CHSE ଅଧ୍ୟକ୍ଷ ସୂଚନା ଦେଇଥିବା ବେଳେ କହିଛନ୍ତି ଯେ, ଏଥର ରାଜ୍ୟବ୍ୟାପୀ ୩୦ଟି ଜିଲ୍ଲାରେ ୧୩୫୦ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେବ।

ମୋଟ ୪ ଲକ୍ଷ ୭ ହଜାର ୩୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।ଥିଓରି ପରୀକ୍ଷା ପୂର୍ବରୁ ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀ ୨ ତାରିଖରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥର ପ୍ରଥମ ଥର ପାଇଁ ପ୍ରାକ୍ଟିକାଲ ପରୀକ୍ଷାରେ ୱେବକାଷ୍ଟ ଏବଂ ଲାଇଭ ଷ୍ଟ୍ରିମିଙ୍ଗ ବ୍ୟବସ୍ଥା କରାଯାଇଛି। ପରୀକ୍ଷାକୁ ସୁଚାରୁ ଓ ସ୍ୱଚ୍ଛ ଭାବେ ପରିଚାଳନା କରିବା ପାଇଁ ୨୧୦ଟି ହବ୍‌କୁ AI କ୍ୟାମେରା ନଜରଦାରିରେ ରଖାଯିବ। ଛାତ୍ରଛାତ୍ରୀମାନଙ୍କୁ ଆସନ୍ତା ଡିସେମ୍ବର ୧୫ ତାରିଖରେ ଆଡମିଟ୍ କାର୍ଡ ମିଳିବ।

ପ୍ରଶ୍ନପତ୍ର ଭାଇରାଲ ହେବା ସମ୍ପର୍କରେ CHSE ନିୟନ୍ତ୍ରକ କହିଛନ୍ତି ଯେ, ଏଥର ପ୍ରଶ୍ନପତ୍ର ଫୁଟିଯିବାର କୌଣସି ସୁଯୋଗ ନାହିଁ। ପ୍ରିଣ୍ଟିଂ ଷ୍ଟେସନରୁ ପ୍ରଶ୍ନପତ୍ର ସିଧା ହବ୍‌କୁ ଆସିବ ଓ ସେଠାରୁ ସିଧାସଳଖ ପରୀକ୍ଷା କେନ୍ଦ୍ରକୁ ପଠାଯିବ। ହବ୍‌ରେ ପ୍ରଶ୍ନପତ୍ର ଖୋଲିବା ସମୟରେ ସିସିଟିଭି ରେକର୍ଡିଂ ହେବ। AI ନଜରଦାରି ମଧ୍ୟରେ ସମଗ୍ର ପ୍ରକ୍ରିୟା ଚାଲିବ।ଗତବର୍ଷ ରାଜ୍ୟରେ ୧୨୬୮ଟି ପରୀକ୍ଷା କେନ୍ଦ୍ରରେ ପ୍ଲସ୍–୨ ପରୀକ୍ଷା ହୋଇଥିବା ବେଳେ, ଏଥର ଛାତ୍ରଛାତ୍ରୀ ସଂଖ୍ୟା ବୃଦ୍ଧି ପାଇଁ କେନ୍ଦ୍ର ସଂଖ୍ୟାକୁ ମଧ୍ୟ ବଢ଼ାଯାଇଛି।

Leave a Reply

Your email address will not be published. Required fields are marked *