ନ୍ୟୁଜ ଡେକ୍ସ : ପୁରୀ ଜିଲ୍ଲାର ଚନ୍ଦନପୁର ଅଞ୍ଚଳରେ ଘରେ ପଶି ନାବାଳିକା ଉପରେ ଗଣଦୁଷ୍କର୍ମ ଘଟଣା ଆଲୋଚନାରେ ଆସିଛି। ଏହି ମାମଲାରେ ପୋଲିସ ସଂପର୍କୀୟ ଦାଦା ଓ ଭାଇଙ୍କୁ ଗିରଫ କରିଛି। ଚନ୍ଦନପୁର ଥାନା ପୋଲିସ ତଦନ୍ତ ଜାରି ରଖିଛି।ସୂଚନା ଅନୁଯାୟୀ, ଗତ ବୁଧବାର କାଳୀପୂଜା ଭସାଣି ଦେଖିବାକୁ ପରିବାର ଲୋକେ ବାହାରେ ଯାଇଥିବା ସମୟରେ ନାବାଳିକା ଜଣେ ଘରେ ଏକା ଶୋଇଥିଲେ।
ଏହି ସୁଯୋଗରେ ତାଙ୍କ ସଂପର୍କୀୟ ଦାଦା ଓ ଭାଇ ମିଶି ଭୋର ୪ଟା ସମୟରେ ଘରକୁ ପଶି ବଳପୂର୍ବକ ଗଣଦୁଷ୍କର୍ମ କରି ଫେରାର ହୋଇଯାଇଥିଲେ।ଶୁକ୍ରବାର ନାବାଳିକା ତାଙ୍କ ମା’ଙ୍କ ସହ ଥାନାରେ ପହଞ୍ଚି ଅଭିଯୁକ୍ତ ଦୁଇଜଣଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ଦୁଇଜଣଙ୍କୁ କାବୁ କରିଥିଲା।ଘଟଣାସ୍ଥଳକୁ ଏସଡିପିଓ ରବି ନାରାୟଣ ଭଞ୍ଜ ଓ ଫରେନ୍ସିକ ଟିମ୍ ପହଞ୍ଚି ପ୍ରମାଣ ସଂଗ୍ରହ କରିଥିଲେ।
ପୋଲିସ ସୂତ୍ର ଅନୁଯାୟୀ, ଦୁଇ ପରିବାର ମଧ୍ୟରେ ପୂର୍ବରୁ ପାରିବାରିକ ବିରୋଧ ଥିବା ସୂଚନା ମିଳିଛି।ଏହି ଘଟଣା ନେଇ ଅଞ୍ଚଳରେ ଚର୍ଚ୍ଚା ଚାଲିଛି ଓ ପୋଲିସ ଆଗାମୀ ଦିନରେ ଆହୁରି ତଦନ୍ତ ଜାରି ରଖିବାକୁ କହିଛି।

