ନ୍ୟୁଜ ଡେକ୍ସ: ସକାଳୁ ସକାଳୁ ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ । ଚଳନ୍ତା ବାଇକ୍ରେ ଯାଉଥିବା ଜଣେ ଯୁବକଙ୍କ ମୁଣ୍ଡକୁ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ରାଜପଥ ଉପରେ ପଡ଼ିଛି ମୁଣ୍ଡବିହୀନ ମୃତଦେହ । ଏହି ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ମୃତକ ଭୁବନେଶ୍ବର କେଦାରପଲ୍ଲୀ ବସ୍ତିର ସହଦେବ ନାୟକ ବୋଲି ଜଣାପଡିଛି । କିଏ ଓ କାହିଁକି ବୀଭତ୍ସ ଭାବେ ହତ୍ୟା କଲା ତାହାର କାରଣ ଅସ୍ପଷ୍ଟ ରହିଛି।
ସୂଚନା ଅନୁସାରେ ବିଳମ୍ବିତ ରାତିରେ ରସୁଲଗଡ଼ ଛକରେ ଜଣେ ଯୁବକଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଛି । ଏକ ଧାରୁଆ ଅସ୍ତ୍ରରେ କେହି ତାଙ୍କୁ ହତ୍ୟା କରିଥିବା ସୂଚନା ରହିଛି । ମୃତ ଯୁବକଙ୍କ ମୁଣ୍ଡ କଟା ହୋଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବାର ଦେଖିବାକୁ ମିଳିଛି ।ବର୍ତ୍ତମାନ ଯାଏଁ ଯୁବକଙ୍କ ପରିଚୟ ମିଳିନାହିଁ। ମଞ୍ଚେଶ୍ୱର ଥାନା ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି। ପୋଲିସର ପ୍ରାଥମିକ ତଦନ୍ତ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହତ୍ୟାର ପ୍ରକୃତ କାରଣ ଏବଂ କେମିତି ହତ୍ୟା ହୋଇଛି, ତାହା ଜଣାପଡିବ। ତେବେ ଭୁବନେଶ୍ୱରରେ ବୁଧବାରଠାରୁ ପ୍ରବାସୀ ଭାରତୀୟ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି ।
ଏଥିନିମନ୍ତେ ରାଜଧାନୀରେ ଲୋକଙ୍କ ଭିଡ଼ ଜମିଲାଣି। ବୁଧବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିବେ । ଏହା ପୂର୍ବରୁ ରାଜଧାନୀକୁ ସୁରକ୍ଷା ଛାଉଣିରେ ରଖାଯାଇଛି । ଭୁବନେଶ୍ୱରରେ ୮୦ ପ୍ଲାଟୁନ ଫୋର୍ସ ସହ ୧୧ କମ୍ପାନୀ କେନ୍ଦ୍ରୀୟ ପୋଲିସ ବାହିନୀ ମୁତୟନ ହୋଇଛନ୍ତି । ଏହାସତ୍ତ୍ୱେ ରାଜଧାନୀ ରାଜରାସ୍ତାରେ ସକାଳୁ ସକାଳୁ କିପରି ଏପରି ଏକ ସାଂଘାତିକ କାଣ୍ଡ ଘଟିଗଲା ତାହାକୁ ନେଇ ଉଠିଛି ପ୍ରଶ୍ନ ।
