ନ୍ୟୁଜ ଡେକ୍ସ : ଜୀବନର ଶେଷ ମୁହୂର୍ତ୍ତରେ ମଧ୍ୟ କର୍ତ୍ତବ୍ୟପାଳନର ଦୃଢ ସଂକଳ୍ପ। ଏହିପରି ଅଦମ୍ୟ ସାହସ ଦେଖାଇଛନ୍ତି ଓଡିଶାର OSRTC ବସ ଡ୍ରାଇଭର ପି. ସାଇକୃଷ୍ଣ। ଗୁରୁବାର ରାତିରେ ଚଳନ୍ତା ବସ ଚଲାଉଥିବା ବେଳେ ହୃଦଘାତ ହୋଇଥିଲେ ମଧ୍ୟ ସେ ପ୍ରଥମେ ବସଟିକୁ ରାସ୍ତାକଡେ ସୁରକ୍ଷିତ ଭାବରେ ସାଇଡ କରିଦେଇଥିଲେ। ଏହି ସାହସିକ କାର୍ଯ୍ୟରୁ ବସରେ ଥିବା ୨୫ ଯାତ୍ରୀଙ୍କ ଜୀବନ ନିଶ୍ଚିତ ମୃତ୍ୟୁରୁ ବଞ୍ଚିଯାଇଛି।
ସୂଚନା ଅନୁସାରେ, OSRTC ବସଟି ବିଜୟନଗରମରୁ ମାଲକାନଗିରିକୁ ଯାଉଥିଲା। ରାତି ପ୍ରାୟ ୨.୩୦ ରେ କୁନ୍ଦୁଲି ନିକଟରେ ଡ୍ରାଇଭର ସାଇକୃଷ୍ଣଙ୍କୁ ହଠାତ୍ ଛାତିରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଅବସ୍ଥା ଗମ୍ଭୀର ହେଉଥିବା ସତ୍ୱେ ସେ ମନୋବଳ ରଖି ବସଟିକୁ ରାସ୍ତାକଡେ ଠିକ୍ଭାବରେ ପାର୍କ କରିଦେଇଥିଲେ। ଏହା ପରେ ଯାତ୍ରୀମାନେ ତୁରନ୍ତ ଆମ୍ବୁଲାନ୍ସ କୁ ଡାକିଥିଲେ।ଡ୍ରାଇଭରଙ୍କୁ କୋରାପୁଟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସାଇକୃଷ୍ଣଙ୍କ ମୃତ୍ୟୁ ହୋଇଥିଲା।
ତାଙ୍କ ଘର ମାଲକାନଗିରିରେ ଥିବା ଜଣାପଡ଼ିଛି। ଘଟଣାଟି ପରେ OSRTC କର୍ତ୍ତୃପକ୍ଷ, ଯାତ୍ରୀମାନେ ଓ ସ୍ଥାନୀୟମାନେ ଡ୍ରାଇଭରଙ୍କ ସାହସ ଓ କର୍ତ୍ତବ୍ୟପ୍ରତି ଅଙ୍ଗୀକାରକୁ ସଲାମ ଜଣାଇଛନ୍ତି। ତାଙ୍କର ସାହସିକ ପଦକ୍ଷେପରୁ ୨୫ ଜଣ ଯାତ୍ରୀ ଉଦ୍ଧାର ହୋଇଥିବାରୁ ତାଙ୍କୁ ‘ଅନକାହି ହିରୋ’ ବୋଲି ବର୍ଣନା କରାଯାଉଛି।ମୃତ ଡ୍ରାଇଭରଙ୍କ ପରିବାର ପ୍ରତି ସହାନୁଭୂତି ଓ ସମବେଦନା ବ୍ୟକ୍ତ ହୋଇଛି।

