ନ୍ୟୁଜ ଡେକ୍ସ: କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ)ରେ କାମ କରୁଥିବା ଯବାନ ମୁନିର ଅହମଦ ସେନାରୁ ତଡା ଖାଇଛନ୍ତି। ଜଣେ ପାକିସ୍ତାନୀ ମହିଳାଙ୍କ ସହ ବିବାହ ଓ ତାଙ୍କ ତଥ୍ୟ ସେନାକୁ ଲୁଚାଇବା ଅଭିଯୋଗରେ ସିଆରପିଏଫ ତାଙ୍କୁ ସେବାରୁ ବରଖାସ୍ତ କରିଛି। ଖବର ମୁତାବକ ଅହମଦଙ୍କ ବର୍ତ୍ତମାନ ଜମ୍ମୁ ଓ କାଶ୍ମୀରରେ କାର୍ଯ୍ୟରତ ଥିବା ବେଳେ ଏହି ଘଟଣା ପ୍ରକାଶ ପାଇଛି।
ତେବେ ଶନିବାର ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସର ଯବାନ ମୁନିର ଅହମ୍ମଦଙ୍କୁ ତାଙ୍କ ପୋଷ୍ଟ ରୁ ବହିଷ୍କାର କରାଯାଇଛି, ଯିଏ ଜଣେ ପାକିସ୍ତାନୀ ମହିଳାଙ୍କ ସହ ବିବାହ କରିଛନ୍ତି। ଅଭିଯୋଗ ହୋଇଛି, ଯବାନ ଜଣଙ୍କ ତାଙ୍କ ବିବାହ ଲୁଚାଇବା କାରଣରୁ, ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି। କିନ୍ତୁ ଏଭଳି ଅଭିଯୋଗକୁ ସଫା ସଫା ଖଣ୍ଡନ କରିଛନ୍ତି ଯବାନ ଏବଂ ବିବାହ କରିବା ପୂର୍ବରୁ ସେ ସିଆରପିଏଫ ମୁଖ୍ୟାଳୟରୁ ପୂର୍ବ ଅନୁମୋଦନ ପାଇଥିଲେ ବୋଲି ଦାବି କରିଛନ୍ତି। ତେବେ ମହିଳା ଜଣକ ଭାରତୀୟ ଭିସା ପାଇଁ ଆବେଦନ ମଧ୍ୟ କରିଥିଲେ। ହେଲେ କୈଣସି କାରଣରୁ ଭିସା ମିଳିବାରେ ବିଳମ୍ୱ ହୋଇଥିଲା। ପରେ ସର୍ଟ ଟର୍ମ ଭିସାରେ ସେ ଗତ ମାର୍ଚ୍ଚ ମାସରେ ଭାରତରେ ପହଞ୍ଚି ଥିଲେ। ତାଙ୍କ ଭିସାର ଅବଧି ମାର୍ଚ୍ଚ ୨୨ ତାରିଖରେ ଶେଷ ହୋଇଥିଲା। ଏହା ମଧ୍ୟରେ ତାଙ୍କ ଓକିଲ ତାଙ୍କ ପାଇଁ ଲଙ୍ଗ ଟର୍ମ ଭିସା ପାଇଁ ଆବେଦନ ମଧ୍ୟ କରିଥିଲେ। କିନ୍ତୁ ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ସରକାର ପାକିସ୍ତାନ ନାଗରିକଙ୍କ ପାଇଁ ସମସ୍ତ ଭିସା ରଦ୍ଧ କରିଥିଲେ।
ଏହାପରେ ତାଙ୍କୁ ଦେଶ ଛାଡିବା ପାଇଁ ଭାରତ ସରକାର ନୋଟିସ ମଧ୍ୟ ପଠାଇଥିଲେ। ହେଲେ ସେ ଅଟାରୀ-ୱାଘା ବର୍ଡର କ୍ରସ କରିବାର କିଛି ସମୟ ପୂର୍ବରୁ ତାଙ୍କୁ କୋର୍ଟ ରିଲିଫ ପ୍ରଦାନ କରିଥିଲେ। ଏହାପରେ ସପୂର୍ଣ୍ଣ କୋର୍ଟ ରାୟ ନଆସିବା ଯାଏ ସେ ଭାରତରେ ରହିବେ ବୋଲି ଜଣାପଡିଛି।ଏନେଇ ସିଆରପିଏଫ ଅଧିକାରୀମାନେ କହିଛନ୍ତି ଯେ, ଏଭଳି ଘଟଣା ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ। ବିଶେଷକରି ସୀମାନ୍ତବର୍ତ୍ତୀ ଅଞ୍ଚଳରେ କାର୍ଯ୍ୟରତ ଯବାନଙ୍କ କ୍ଷେତ୍ରରେ ଏହା ଆଦୌ ଗ୍ରହଣୀୟ ନୁହେଁ। ଏହି ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଛି। ଅନ୍ୟ ସମ୍ଭାବ୍ୟ ସୁରକ୍ଷା ଉଲ୍ଲଂଘନ ଆଶଙ୍କା ଉପରେ ମଧ୍ୟ କଡା ନଜର ରଖାଯାଇଛି। ତେବେ ଏହା ସିଆରପିଏଫର ଅଭ୍ୟନ୍ତରୀଣ ଶୃଙ୍ଖଳା ଏବଂ ସୁରକ୍ଷା ନିୟମ ପାଳନ ଉପରେ କଡ଼ା ନୀତିକୁ ସୂଚାଉଛି।

