ନ୍ୟୁଜ ଡେକ୍ସ: ଚାକିରୀରୁ ନିଲମ୍ବିତ ମୋ ବସ୍ ଡ୍ରାଇଭର ଏବଂ କଣ୍ଡକ୍ଟର। ମୋ ବସ୍ ଚଳାଚଳ ସୁରକ୍ଷା ନିୟମଗୁଡିକର କଡ଼ାକଡ଼ି ଯାଞ୍ଚ ହୋଇଛି। ଗୁରୁତର ନିୟମ ଉଲ୍ଲଂଘନକୁ ଦୃଷ୍ଟିରେ ରଖି, କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ଏକ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ଡ୍ୟୁଟି ସମୟରେ ତୁରନ୍ତ କାର୍ଯ୍ୟରୁ ନିଲମ୍ବନ କରିଛି। ସେପଟେ ଏଣିକି ପ୍ରତିଦିନ ମଦ୍ୟପାନ ପରୀକ୍ଷଣ କରାଯିବ ଏବଂ ଧରାପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ କ୍ରୁଟ୍ କହିଛି।
ମଦ୍ୟପାନ କରି ଗାଡ଼ି ଚଳାଉଥିବାବେଳେ ଧରାପଡ଼ିଥିଲେ ଡ୍ରାଇଭିଂ ଲାଇସେନ୍ସକୁ ୬ ମାସ ପାଇଁ ରଦ୍ଦ କରାଯିବ। ଏପରିକି ଅନ୍ୟ କୌଣସି ସ୍ଥାନରେ ବି ଗାଡ଼ି ଚଳାଇବାକୁ ସଂପୃକ୍ତ ଡ୍ରାଇଭରଙ୍କୁ ଅନୁମତି ମିଳିବନି ବୋଲି କହିଛି କ୍ରୁଟ୍। ଏହାବ୍ୟତୀତ ଅନ୍ୟ ଜଣେ ଚାଳକ ଏବଂ କଣ୍ଡକ୍ଟର କାର୍ଯ୍ୟ ସମୟରେ ବିଶୃଙ୍ଖଳା କାର୍ଯ୍ୟକଳାପ ପାଇଁ ଦୁଇ ମାସ ପାଇଁ ନିଲମ୍ବନ କରାଯାଇଛି। ଏଭଳି ଆଚରଣ କାରଣରୁ ଯାତ୍ରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠିଥିବାରୁ କଡ଼ା ଆଭିମୁଖ୍ୟ ପୋଷଣ କରାଯାଇଛି।
ଆଗାମୀ ଦିନରେ କୌଣସି ଡ୍ରାଇଭର ମଦ୍ୟପାନ କରି ଗାଡ଼ି ଚଳାଉଥିବା ଜଣାପଡ଼ିଲେ, ତୁରନ୍ତ ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସକୁ ୬ ମାସ ପର୍ଯ୍ୟନ୍ତ ରଦ୍ଦ କରାଯିବ। ଏଣିକି ମୋ ବସ୍ କର୍ମଚାରୀଙ୍କୁ ନିୟମିତ ମଦ୍ୟପାନ ଯାଞ୍ଚ କରାଯିବ। ଏଥିସହ ସ୍ବତନ୍ତ୍ର ଡ୍ରାଇଭର ତାଲିମ କାର୍ଯ୍ୟକ୍ରମ, ଯାତ୍ରୀ ଓ ସହକର୍ମୀଙ୍କ ପ୍ରତି ଆଚରଣ ଓ ବ୍ୟବହାରଗତ ପ୍ରଶିକ୍ଷଣ ଦିଆଯିବ। କାର୍ଯ୍ୟସ୍ଥଳରେ ସ୍ବତନ୍ତ୍ର ମନିଟରିଂ କରାଯିବା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି।