ନ୍ୟୁଜ ଡେକ୍ସ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଞ୍ଚଳରେ ଜଣେ ୧୦ ବର୍ଷୀୟ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ସାରା ରାଜ୍ୟରେ ଭୟଙ୍କର ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣାର ପ୍ରତିବାଦରେ ଆଜି ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଚାନ୍ଦବାଲି ବନ୍ଦ ଡାକରା ଦିଆଯାଇଥିଲା। ରାଜ୍ୟରେ ଆଇନଶୃଙ୍ଖଳା ବିଗଡ଼ିଯାଇଥିବା ଅଭିଯୋଗ କରି ବିଜେଡି ଓ କଂଗ୍ରେସ ପକ୍ଷରୁ ସଂଯୁକ୍ତ ଭାବେ ବନ୍ଦ ପାଳନ କରାଯାଇଥିଲା।ବନ୍ଦ ପ୍ରଭାବରେ ଚାନ୍ଦବାଲି ଅଞ୍ଚଳରେ ଯାତାୟାତ ବ୍ୟବସ୍ଥା ପ୍ରାୟ ଠପ୍ ହୋଇଯାଇଥିଲା।
ସକାଳୁ ସକାଳୁ ଆନ୍ଦୋଳନକାରୀମାନେ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରି ପ୍ରତିବାଦ ଜାରି ରଖିଥିଲେ। ଅତ୍ୟାବଶ୍ୟକ ସେବାକୁ ବାଦ ଦେଲେ ବସ୍, ଟ୍ରକ୍ ସହ ସମସ୍ତ ପ୍ରକାର ଯାନ ଚଳାଚଳ ବନ୍ଦ ରହିଥିଲା। ଅପରପକ୍ଷରେ, ଏହି ଅଭାବନୀୟ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଭୀର ଦୁଃଖ ପ୍ରକାଶ କରି ଦିବଂଗତ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି। ଘଟଣାର ଉପଯୁକ୍ତ ଓ ନିର୍ପେକ୍ଷ ତଦନ୍ତ କରି ଦୋଷୀଙ୍କୁ ଆଇନ ଅନୁଯାୟୀ କଠୋରରୁ ଅତି କଠୋର ଦଣ୍ଡ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସହିତ ପୀଡ଼ିତାଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି।ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳୁ ନାବାଳିକା ନିଖୋଜ ଥିଲେ। ବହୁ ଖୋଜାଖୋଜି ସତ୍ତ୍ୱେ ତାଙ୍କର ସନ୍ଧାନ ମିଳିନଥିଲା।
ସନ୍ଧ୍ୟାବେଳେ ବାଲିଗାଁ ସେବା ସମବାୟ ସମିତି କାର୍ଯ୍ୟାଳୟ ପଛ ପଟ ବୁଦାମୂଳରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ପାରିପାଶ୍ୱିକ ସ୍ଥିତିରୁ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅନୁମାନ କରାଯାଇଥିଲା।ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟଙ୍କର ଉତ୍ତେଜନା ସୃଷ୍ଟି ହୋଇଥିଲା। ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବିରେ ଲୋକେ ରାସ୍ତା ଅବରୋଧ କରିଥିବା ସହ ଥାନା ଘେରାଉ କରିଥିଲେ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସତ୍ୟବ୍ରତ ଦାସ ଓରଫ୍ ବବୁଲୁ (ରାମପଲ୍ଲୀ, ଚାନ୍ଦବାଲି)କୁ ପୁଲିସ୍ ଜଗତସିଂହପୁର ଜିଲ୍ଲାରୁ ଗିରଫ କରିଛି। ଅଭିଯୁକ୍ତ ନିଜ ଶ୍ୱଶୁର ଘରେ ଲୁଚିଥିବା ସମୟରେ ପୁଲିସ୍ ତାଙ୍କୁ ଧରିଥିବା ସୂଚନା ମିଳିଛି।

