Mon. Dec 23rd, 2024

ନ୍ୟୁଜ ଡେକ୍ସ: ଆଜି ଚାଷୀଙ୍କୁ ମିଳିବ ଇନ୍‌ପୁଟ ସବ୍‌ସିଡି । ୨୩ ଶହ ଟଙ୍କା ଏମଏସପି ପାଇଥିବା ଚାଷୀଙ୍କୁ ମିଳିବ ସବ୍‌ସିଡି । ଇନ୍‌ପୁଟ ସବ୍‌ସିଡି ବାବଦକୁ ଆଉ ୮ଶହ ଟଙ୍କା ପାଇବେ ଚାଷୀ । ବରଗଡ଼ ସୋହେଲାରେ ଚାଷୀଙ୍କୁ ବୋନସ୍ ଦେବେ ମୁଖ୍ୟମନ୍ତ୍ରୀ । ପୂର୍ବରୁ ଧାନ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା ଦେବାକୁ ଘୋଷଣା ହୋଇଥିବା ବେଳେ ୨୩୦୦ ଟଙ୍କା ପାଇଥିଲେ ଚାଷୀ । ବାକି ୮୦୦ ଟଙ୍କା ଆଜି ଚାଷୀଙ୍କ ଖାତାକୁ ଯିବ ।

୨୦୨୪ ସାଧାରଣ ନିର୍ବାଚନରେ ଭାଜପା ବଡ଼ ଘୋଷଣା କରିଥିଲା । ଓଡ଼ିଶାରେ କ୍ଷମତାକୁ ଆସିଲେ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କିଣାଯିବ ବୋଲି ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା ଦଳ । ଦଳ ନିର୍ବାଚନ ଜିତିବା ପରେ ପ୍ରତିଶ୍ରୁତି ପୂରଣ ପାଇଁ ଅଣ୍ଟା ଭିଡ଼ିଛି । ଏକ କ୍ୱିଣ୍ଟାଲ ଧାନ ବାବଦରେ ଚାଷୀ ୨୩୦୦ ଟଙ୍କା ପାଉଥିବାବେଳେ ଏଥିରେ ଯୋଡ଼ିହୋଇଛି ୮ ଶହ ଟଙ୍କା ଇନପୁଟ ସବ୍ସିଡି । ଧାନ କିଣାଯିବାର ୪୮ ଘଣ୍ଟା ମଧ୍ୟରେ ଏହି ଟଙ୍କା ଚାଷୀ ପାଇବେ । ଆକାଉଣ୍ଟକୁ ସିଧାସଳଖ ଟଙ୍କା ପୈଠ ହେବ । ଶନିବାର ଅପରାହ୍ନ ୪ଟା ସୁଦ୍ଧା ଧାନ ବିକ୍ରି କରିସାରିଥିବା ଚାଷୀ ହିଁ ପ୍ରଥମ ପର୍ଯ୍ୟାୟ ବୋନ୍ସ ରାଶି ପାଇବେ । ହେଲେ କେଉଁ ଚାଷୀ ବୋନସ୍ ପାଇବେ ତାହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।

କାରଣ ଚାଷୀ ଦେଇଥିବା ଧାନକୁ ମିଲର୍ସ ପରବର୍ତ୍ତୀ ଦିନ ହିଁ ଗ୍ରହଣ କରୁଛନ୍ତି । ତେଣୁ ଧାନ ବିକ୍ରି କରିଥିଲେ ହେଁ ସମସ୍ତ ପ୍ରକ୍ରିୟା ଶେଷ ହେଉ ନ ଥିବାରୁ ଅନେକ ଚାଷୀ ପ୍ରଥମ ପର୍ଯ୍ୟାୟ ବୋନସରୁ ବଞ୍ଚିତ ହେବା ଆଶଙ୍କା ଦେଖାଦେଇଛି । ବରଗଡ଼ ଜିଲ୍ଲାରେ ଶନିବାର ଅପରାହ୍ଣ ସୁଦ୍ଧା ୧୫ ହଜାର ୫୯ ଚାଷୀ ପ୍ରାୟ ୭ ଲକ୍ଷ ୧୪ ହଜାର ୫୦୦ କ୍ୱିଣ୍ଟାଲ ଧାନ ବିକି ଥିବା ଯୋଗାଣ ବିଭାଗ ସୂତ୍ରରୁ ଜଣାପଡ଼ିଛି । ତେଣୁ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୧୫ ହଜାର ୫୯ ଚାଷୀ ବୋନସ ପାଇବେ ବୋଲି ଆପାତତଃ ଜଣାପଡ଼ିଛି। ସେମାନଙ୍କ ଆକାଉଣ୍ଟକୁ ୫୭ କୋଟି ୧୬ ଲକ୍ଷ ଟଙ୍କା ଆସିବ ବୋଲି ଆକଳନ କରାଯାଇଛି ।

Leave a Reply

Your email address will not be published. Required fields are marked *