Sat. Feb 21st, 2026

ନ୍ୟୁଜ ଡେକ୍ସ : ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟରେ ଚାଷ ଓ ଚାଷୀଙ୍କୁ ପ୍ରାଥମ୍ୟ ଦିଆଯାଇଛି। ବିଧାନସଭାରେ ବଜେଟ୍ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ Mohan Charan Majhi କୃଷକଙ୍କ ଆୟ ବୃଦ୍ଧିକୁ ସୁନିଶ୍ଚିତ କରିବାକୁ ସରକାରଙ୍କ ପ୍ରତିବଦ୍ଧତା ପୁନରୁଚ୍ଚାରଣ କରିଛନ୍ତି।

‘ସମୃଦ୍ଧ କୃଷକ’ ଯୋଜନା ଅଧୀନରେ କ୍ୱିଣ୍ଟାଲ ପିଛା ୩୧ ଶହ ଟଙ୍କା ଦରରେ ଧାନ କ୍ରୟ ସୁବିଧା ଯୋଗାଇ ଦିଆଯାଉଛି। ୨୦୨୬-୨୭ ପାଇଁ ଏହି ଯୋଜନାରେ ୬ ହଜାର ୮୮ କୋଟି ଟଙ୍କାର ପ୍ରସ୍ତାବ ରହିଛି। ସେହିପରି ଆସନ୍ତା ୩ ବର୍ଷରେ ପ୍ରାୟ ୧୧ ଲକ୍ଷ ମେଟ୍ରିକ ଟନ୍ କ୍ଷମତାର ଆଧୁନିକ ଗୋଦାମ ନିର୍ମାଣ କରାଯିବ।କଫି ଚାଷ ବିସ୍ତାର ପାଇଁ ୬ଟି ଜିଲ୍ଲାରେ ୧୫୦ କୋଟି ଟଙ୍କାର ପ୍ରସ୍ତାବ ରହିଛି। ‘ପ୍ରଯୁକ୍ତିବିଦ୍ୟା ଦ୍ବାରା ଉନ୍ନତ ଆଖୁ ଚାଷ’ ପାଇଁ ୨୭ କୋଟି ଏବଂ ବଳଭଦ୍ର ଜୈବିକ ଚାଷ ମିଶନ ପାଇଁ ୨୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ‘କୃଷି ଉପକରଣର ଲୋକପ୍ରିୟତା’ ଯୋଜନା ଅଧୀନରେ କୃଷି ଯାନ୍ତ୍ରିକୀକରଣ ପାଇଁ ୪୦୦ କୋଟି ଟଙ୍କା ରଖାଯାଇଛି।

ରାଜ୍ୟ କୃଷି ନୀତି ଅନୁଯାୟୀ କୃଷି ଉଦ୍ୟୋଗ ଓ କୃଷି ସେବା କେନ୍ଦ୍ରଗୁଡିକୁ ପୁଞ୍ଜି ନିବେଶ ସହାୟତା ବାବଦକୁ ୪୪୧ କୋଟି ଟଙ୍କାର ପ୍ରସ୍ତାବ ରହିଛି।ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଚାଷୀ, ଜମି ମାଲିକ, ଭୂମିହୀନ ପରିବାର ଏବଂ ସମ୍ବେଦନଶୀଳ ଜନଜାତିଙ୍କୁ ଅତିରିକ୍ତ ସହାୟତା ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ-କିଷାନ ଯୋଜନାକୁ ମୁଖ୍ୟମନ୍ତ୍ରୀ-କିଷାନ ଯୋଜନା ମାଧ୍ୟମରେ କାର୍ଯ୍ୟକାରୀ କରାଯାଉଛି।

ଏହି ଯୋଜନା ପାଇଁ ବଜେଟରେ ୨ ହଜାର ୩୦ କୋଟି ଟଙ୍କାର ବ୍ୟବସ୍ଥା ରହିଛି।ସେହିପରି ‘ଶ୍ରୀ ଅନ୍ନ ଅଭିଯାନ’ ପାଇଁ ୨୦୨୬-୨୨୭ ଆର୍ଥିକ ବର୍ଷରେ ୪୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସମଗ୍ର ଭାବେ ଚାଷୀଙ୍କ ଆୟ ବୃଦ୍ଧି, ଉତ୍ପାଦନ ବୃଦ୍ଧି ଓ କୃଷି ଆଧୁନିକୀକରଣକୁ ନଜରରେ ରଖି ବଜେଟରେ ବିଭିନ୍ନ ପଦକ୍ଷେପ ଘୋଷଣା କରାଯାଇଛି।

Leave a Reply

Your email address will not be published. Required fields are marked *