ନ୍ୟୁଜ ଡେକ୍ସ : ରାଜ୍ୟର ହଜାର ହଜାର ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ପାଇଁ ଏକ ବଡ ଆଶ୍ୱାସନ ଆଣିଛନ୍ତି ଓଡ଼ିଶା ରାଜ୍ୟ ସରକାର। ଟଙ୍କା ଫେରସ୍ତ ପାଇଁ ଥିବା ଶେଷ ତାରିଖକୁ ଜାନୁଆରୀ ୩୧ରୁ ବଢ଼ାଇ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କରାଯାଇଛି। ଏହା ସହ ଆଗାମୀ ଦୁଇ ମାସ ମଧ୍ୟରେ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତମାନେ ତାଙ୍କ ଟଙ୍କା ଫେରସ୍ତ ପାଇବାର ଅବସର ମିଳିଛି।ରାଜ୍ୟ ସରକାରଙ୍କ ନୂତନ ନିଷ୍ପତ୍ତି ଅନୁସାରେ, ଯେଉଁ କ୍ଷୁଦ୍ର ଜମାକାରୀମାନେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରିଥିଲେ, ସେମାନେ ନିଶ୍ଚିତ ଭାବେ ତାଙ୍କର ଟଙ୍କା ଫେରସ୍ତ ପାଇବେ।
ବିଶେଷକରି ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ କମ୍ପାନୀ ଗୋଷ୍ଠୀ ଅଧୀନରେ ଯେଉଁ କ୍ଷୁଦ୍ର ଜମାକାରୀମାନେ ପ୍ରଥମ ପର୍ଯ୍ୟାୟରେ ଟଙ୍କା ପାଇନଥିଲେ, ସେମାନେ ଏହି ପର୍ଯ୍ୟାୟରେ ଟଙ୍କା ଫେରସ୍ତ ପାଇବେ।ସରକାରୀ ସୂତ୍ର ଅନୁସାରେ, ରାଜ୍ୟର ୮ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ କ୍ଷୁଦ୍ର ଜମାକାରୀଙ୍କୁ ଏହି ଯୋଜନାରେ ଟଙ୍କା ଫେରସ୍ତ ଦିଆଯାଉଛି। ଜମାକାରୀମାନେ ନିଜ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ ପ୍ରମାଣପତ୍ର ସହ ନିଜ ଅଞ୍ଚଳର ଆରଆଇ (RI) କାର୍ଯ୍ୟାଳୟରେ ଆବେଦନ କରିପାରିବେ। ଆବେଦନ କରିବା ପରେ ୧୫ ଦିନ ମଧ୍ୟରେ ସେମାନଙ୍କ ଜମା ଟଙ୍କା ବ୍ୟାଙ୍କ ଖାତାକୁ ଜମା ହେବ। ଆବେଦନ ସମୟରେ ଜମାକାରୀମାନେ ଆଧାର କାର୍ଡ, ଭୋଟର କାର୍ଡ, ଡ୍ରାଇଭିଂ ଲାଇସେନ୍ସ କିମ୍ବା ପ୍ୟାନ କାର୍ଡ ଭଳି ପରିଚୟ ପତ୍ର, ମୂଳ ଜମା ରସିଦ, ବ୍ୟାଙ୍କ ଖାତା ନମ୍ବର, ବ୍ୟାଙ୍କ ନାମ ଓ IFSC କୋଡ୍ ସହ ଦାଖଲ କରିବାକୁ ପଡ଼ିବ।ଯେଉଁ ଜମାକାରୀମାନେ ଏପର୍ଯ୍ୟନ୍ତ ଟଙ୍କା ଫେରସ୍ତ ପାଇନାହାନ୍ତି, ସେମାନଙ୍କର ସମ୍ପୂର୍ଣ୍ଣ ତାଲିକା ସମ୍ବନ୍ଧିତ ଜିଲ୍ଲାର ସରକାରୀ ୱେବସାଇଟରେ ଉପଲବ୍ଧ ରହିଛି।
ଏହା ସହିତ, ତଦନ୍ତ କମିଶନ ରିପୋର୍ଟ ପାଇଁ ଜମାକାରୀଙ୍କ ନାମ କିମ୍ବା ଆଫିଡେଭିଟ୍ ନମ୍ବର ଓ ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ କମ୍ପାନୀ ପାଇଁ ଆବେଦନ ନମ୍ବର www.opid.odisha.gov.in ରେ ଦେଇ ଆବେଦନର ବର୍ତ୍ତମାନ ସ୍ଥିତି ମଧ୍ୟ ଜାଣିପାରିବେ।ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଚିଟ୍ଫଣ୍ଡ ଘଟଣାରେ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଥିବା କ୍ଷୁଦ୍ର ଜମାକାରୀମାନଙ୍କ ପାଇଁ ଏକ ବଡ ରାହାତ ଭାବେ ଦେଖାଯାଉଛି। ଦୀର୍ଘଦିନ ଧରି ନ୍ୟାୟ ଓ ଟଙ୍କା ଫେରସ୍ତ ପାଇଁ ଅପେକ୍ଷା କରୁଥିବା ଲୋକଙ୍କ ମନରେ ଏହା ନୂଆ ଆଶା ସୃଷ୍ଟି କରିଛି।

