ନ୍ୟୁଜ ଡେକ୍ସ: ମାଲକାନଗିରି ପରେ ଯାଜପୁରରେ ଲଜ୍ଜା। ମାଆ ହେଲେ ମାଟ୍ରିକ ପରୀକ୍ଷାର୍ଥୀ। ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଏଭଳି ଅଘଟଣ ଦେଖିବାକୁ ମିଳିଛି। ମାଟ୍ରିକ ପରୀକ୍ଷାର୍ଥି ଜଣକ ଦୁଇଟି ପରୀକ୍ଷା ଦେଇଥିବା ବେଳେ ଗତକାଲି ଶିବରାତ୍ରି ଅବସରରେ ଉପବାସ କରି ଅସୁସ୍ଥ ଅନୁଭବ କରିଥିଲେ। ସୂଚନାନୁଯାୟୀ, ବରୀ ଥାନା ଅଞ୍ଚଳର ଜଣେ ଦଶମ ଛାତ୍ରୀ ପୂର୍ବରୁ ଦୁଇଟି ବିଷୟରେ ପରୀକ୍ଷା ଦେଇଥିଲେ।
ଗତକାଲି ହଠାତ୍ ତାଙ୍କର ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିଥିଲା। ତାଙ୍କୁ ବରୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ଡାକ୍ତରଖାନାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଛାତ୍ରୀ ଜଣଙ୍କ ରାମପୁର ପଞ୍ଚାୟତ ସ୍କୁଲରେ ପାଠ ପଢୁଥିଲେ। ସେ ନିଜ ଘରୁ ସ୍କୁଲକୁ ଯାତାୟତ କରୁଥିଲେ। ଆଡମିଟ୍ ନେବା ପରଠାରୁ ସେ ସ୍କୁଲ ଆସିନଥିଲେ। ଛାତ୍ରୀ ଜଣଙ୍କ ଗର୍ଭବତୀ ଥିବା ନେଇ ଛାତ୍ରୀଙ୍କ ପରିବାର ଲୋକ, ସ୍ଥାନୀୟ ଅଙ୍ଗନବାଡି କର୍ମୀ ଓ ସ୍କୁଲ ଶିକ୍ଷକ କିପରି ଜାଣିପାରିଲେନି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ନିକଟରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ବିଦ୍ୟାଳୟରେ ନିରୀହ ଆଦିବାସୀ ଛାତ୍ରୀ ପିଲା ଜନ୍ମ କରିବା ଘଟଣା ଚକିତ କରିଥିଲା। ଚିତ୍ରକୋଣ୍ଡା ଅନୁସୂଚିତ ଜାତି ଜନଜାତି ବିଦ୍ୟାଳୟରେ ଏହି ଘଟଣା ଘଟିଥିଲା। ହେଲେ ସ୍କୁଲ ଚାରି କାନ୍ଥ ଭିତରେ ଏହିଭଳି ଲଜ୍ଜା ଜନକ ଘଟଣା କେମିତି ଘଟିଲା ତାକୁ ନେଇ ଉଠିଛି ପ୍ରଶ୍ନ।
