Sun. Feb 22nd, 2026

ନ୍ୟୁଜ ଡେକ୍ସ : ଚିଲିକା ହ୍ରଦରେ ଆଜିଠାରୁ ଡଲଫିନ୍ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ବାଲୁଗାଁ ଓ ସିଡିଏ (CDA)ର ମିଳିତ ସହଯୋଗରେ ସକାଳ ୬ଟାରୁ ଏହି ଗଣନା କାର୍ଯ୍ୟ ଆରମ୍ଭ କରାଯାଇଛି। ଡଲଫିନ୍‌ର ସଠିକ୍ ସଂଖ୍ୟା ନିର୍ଣ୍ଣୟ ପାଇଁ ଚିଲିକାର ୨ଟି ରେଞ୍ଜକୁ ୩ଟି ସେକ୍ଟରରେ ବିଭକ୍ତ କରାଯାଇ ୧୮ଟି ଟିମ୍ ନିୟୋଜିତ କରାଯାଇଛି।

ଗଣନା କାର୍ଯ୍ୟରେ ବାଲୁଗାଁ ରେଞ୍ଜରୁ ୧୦ଟି ଓ ସାତପଡ଼ା ରେଞ୍ଜରୁ ୮ଟି ଟିମ୍ ଅଂଶଗ୍ରହଣ କରୁଛନ୍ତି। ପ୍ରତ୍ୟେକ ଟିମ୍‌ରେ ୫ରୁ ୬ଜଣ ଗଣନାକାରୀଙ୍କ ସହ ୨ଜଣ ଡଙ୍ଗା ଚାଳକ ରହିଛନ୍ତି। ସାତପଡ଼ା ଅଞ୍ଚଳର ୪ଟି ସ୍ଥାନ ସହ ସେଣ୍ଟ୍ରାଲ ସେକ୍ଟରରେ ୬ଟି, ସାଉଥର୍ନ ସେକ୍ଟରରେ ୪ଟି, ନର୍ଦର୍ନ ସେକ୍ଟରରେ ୧ଟି ଓ ଆଉଟର ଚ୍ୟାନେଲରେ ୭ଟି ଟିମ୍ ଗଣନା କାର୍ଯ୍ୟ ଚଳାଉଛନ୍ତି।ଡଲଫିନ୍ ଗଣନା ସମୟରେ ବାଇନାକୁଲାର, ଜିପିଏସ୍, ରେଞ୍ଜଫାଇଣ୍ଡର, କମ୍ପାସ, କ୍ୟାମେରା ଓ ନୋଟପ୍ୟାଡ୍ ଭଳି ଆଧୁନିକ ଉପକରଣ ବ୍ୟବହାର କରାଯାଉଛି।

ଏହି କାର୍ଯ୍ୟରେ ୧୪୫ରୁ ଅଧିକ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ସ୍ୱେଚ୍ଛାସେବୀ, ବମ୍ବେ ନାଚୁରାଲ୍ ହିଷ୍ଟ୍ରି ସୋସାଇଟି, ଓଡ଼ିଶା ବନ୍ୟପ୍ରାଣୀ ବିଭାଗ, CDA କର୍ମଚାରୀ, OUAT ଛାତ୍ରଛାତ୍ରୀ, ଅଣସରକାରୀ ସଂସ୍ଥା କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ସାମିଲ ହୋଇଛନ୍ତି। ଗଣନା କାର୍ଯ୍ୟ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ଆସନ୍ତା ୨୨ ତାରିଖ ଦିନ ଦୁପୁର ୧୨ଟା ପର୍ଯ୍ୟନ୍ତ ଚିଲିକା ହ୍ରଦରେ ଡଙ୍ଗା ଓ ଭସାପୋଲ ଚଳାଚଳ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି। ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଏହି ଗଣନାକୁ ଡଲଫିନ୍ ସଂରକ୍ଷଣ ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *