ନ୍ୟୁଜ ଡେକ୍ସ : ପୁରୀ ନୀଳାଦ୍ରି ଭକ୍ତନିବାସରେ ଆଜି ଅନୁଷ୍ଠିତ ହେବ ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ। ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଆସନ୍ତା ୭ ତାରିଖରେ ପଡୁଥିବା ଚନ୍ଦ୍ର ଗ୍ରହଣ ପାଇଁ ଶ୍ରୀମନ୍ଦିରରେ ନୀତିକାନ୍ତି ପରିଚାଳନା ପାଇଁ ସ୍ୱତନ୍ତ୍ର ଭାବେ ବୈଠକ ଅନୁଷ୍ଠିତ ହେବ।
ବୈଠକରେ ଛତିଶା ନିଯୋଗର ସମସ୍ତ ସେବାୟତ ପ୍ରତିନିଧି, ଏସପି ପ୍ରତୀକ ସିଂ, ଶ୍ରୀମନ୍ଦିର ନୀତି ପ୍ରଶାସକ, ଉନ୍ନୟନ ପ୍ରଶାସକଙ୍କ ସହିତ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିବେ। ଶ୍ରୀମନ୍ଦିର ପରିସରରେ ଶିଶୁ ଓ ମା’ମାନଙ୍କ ସକାଶେ ଶିଶୁ ସ୍ତନ୍ୟପାନ ଗୃହ ସୋମବାର ଠାରୁ କାର୍ଯ୍ୟକ୍ଷମ ହୋଇଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ସେପ୍ଟେମ୍ବର ୧୫ରୁ ନାଟମଣ୍ଡପରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବାକୁ ଥିବାରୁ ଛତିଶାନିଯୋଗ ବୈଠକରେ ଏହା ଉପରେ ବିସ୍ତୃତ ଆଲୋଚନା କରାଯିବ।ବିଶେଷ ନୀତିକାନ୍ତି ସମୟରେ କାଠରେ ତିଆରି ରାମ୍ପକୁ କିଭଳି ଅପସାରଣ କରାଯିବ, ମହିଳା, ପୁରୁଷ, ଛୋଟପିଲା, ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ନାଟମଣ୍ଡପରେ କିଭଳି ଶୃଙ୍ଖଳିତ ଭାବେ ଧାଡ଼ିରେ ଦର୍ଶନ କରିପାରିବେ ସେନେଇ ବୈଠକରେ ବିଭିନ୍ନ ସେବକ ପ୍ରତିନିଧିଙ୍କ ସହ ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରିବ। ବୈଠକରେ ଶ୍ରୀମନ୍ଦିରର ବିଭିନ୍ନ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇପାରେ।
