ନ୍ୟୁଜ ଡେକ୍ସ :ମାସେ ହେଲାଣି ପାଟିରେ ଆଇଁଷ ବାଜିନଥିଲା, ଆମିଷ ଖିଆଙ୍କ ଅପେକ୍ଷା ଥିଲା ଛାଡଖାଇ ପର୍ଯ୍ୟନ୍ତ । ଗୁରୁବାର ଛାଡଖାଇ ପଡୁଥିବାରୁ ଏଥର ଏହା ପୁଣି ଗୋଟିଏ ଦିନ ଘୁଞ୍ଚି ଶୁକ୍ରବାର ପାଳିତ ହେବ । ହେଲେ ଏଥର ଛାଡଖାଇ ଆମିଷ ଖିଆଙ୍କ ପକେଟ ଉପରେ ଚଡ଼କ ମାରିବା ନିଶ୍ଚିତ ।ଗୋଟିଏ ପଟେ ଆନ୍ଧ୍ରପ୍ରଦେଶରେ ବାତ୍ୟା ‘ମୋନ୍ଥା’ ହେତୁ ମାଛ ଧରା କମିଯାଇ ମାଛ ଦର ଦେଢଗୁଣ ବଢ଼ିଥିବା ବେଳେ, ଅନ୍ୟ ପଟେ ଖାସି ଓ କୁକୁଡ଼ା ଦର ବି ଉପରକୁ ଯାଉଛି ।
ବେପାରୀମାନଙ୍କ ଆକଳନ ଅନୁଯାୟୀ, ଏଥର ମାଛ କିଲୋ ପିଛା ୨୦ରୁ ୩୦ ଟଙ୍କା ପର୍ଯ୍ୟନ୍ତ ବଢ଼ିପାରେ ।ଛାଡଖାଇକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶରୁ ୧୫ ଟ୍ରକ ମାଛ ଆଣାଯାଉଛି । ପୂର୍ବରୁ ୧୫୦ ଟନ୍ ମାଛ କିଣିବାକୁ ପ୍ରାୟ ୨ କୋଟି ଟଙ୍କା ଖର୍ଚ୍ଚ ହେଉଥିଲା, ହେଲେ ଏବେ ସେଇ ପରିମାଣର ମାଛ କିଣିବାକୁ ଅଢେଇ କୋଟି ଟଙ୍କା ଖର୍ଚ୍ଚ ହୋଇପାରେ ବୋଲି ଆକଳନ । ରାଜଧାନୀ ଭୁବନେଶ୍ୱରର ସବୁଠୁ ବଡ଼ ମାଛ ହାଟ — ୟୁନିଟ-୪ ହାଟ — ଆଜି ଚଳଚଞ୍ଚଳ ହୋଇପଡିଥିଲା । ଏଠାରେ ଓଡ଼ିଶାରେ ଉପଲବ୍ଧ ସମସ୍ତ ପ୍ରକାର ମାଛ, ଖାସି, କୁକୁଡ଼ା ଓ ଅଣ୍ଡା ମିଳୁଛି । ବେପାରୀମାନେ କହିଛନ୍ତି ଯେ, ଏଥର ବିହାର ଓ କୋଲକାତାରୁ ଆସୁଥିବା ଖାସି ଦର ରହିଛି ୮୦୦ରୁ ୯୦୦ ଟଙ୍କା ପର୍ଯ୍ୟନ୍ତ ପ୍ରତି କିଲୋ ।ହାଟରେ ଏବେ ରୋହି ମାଛ ୧୨୦ରୁ ୧୪୦ ଟଙ୍କା, ଭାକୁର ୧୫୦ରୁ ୧୭୦ ଟଙ୍କା ରେ ବିକ୍ରି ହେଉଛି ।
ଯଦି ଆନ୍ଧ୍ରପ୍ରଦେଶରେ ମାଛ ଦର ବଢ଼ି ରହିଥାଏ, ତେବେ ଭୁବନେଶ୍ୱର ବଜାରରେ ଗ୍ରାହକଙ୍କୁ ଅଧିକ ୨୦ ଟଙ୍କା ପ୍ରତି କିଲୋ ଦେବାକୁ ପଡିପାରେ ।ନିଖିଳ ଉତ୍କଳ ଆମିଷ ବ୍ୟବସାୟୀ ମହାସଂଘର ସଭାପତି ଶେଖ୍ ମୁନ୍ତାକିମ୍ ବକ୍ସ କହିଛନ୍ତି, “ଏବେ ଜସିପୁର, ବାରିପଦା, ହରିପୁର ଓ ଦଶପଲ୍ଲାରୁ ମଟନ୍, ପାରାଦୀପ ଓ ବ୍ରହ୍ମପୁରରୁ ମାଛ, ଆଠଗଡ଼, କଣାସ ଓ ପିପିଲିରୁ କୁକୁଡ଼ା ଆସିବ । ଛାଡଖାଇ ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି ।”ଏହି ମଧ୍ୟରେ, ଭୁବନେଶ୍ୱର ମହାନଗର ନିଗମ (BMC) ପକ୍ଷରୁ ହାଲି ଯୁନିଟ-୪ ହାଟ ରୋଡ଼ ପାଖରେ ଥିବା ଜବରଦଖଲ ଉଚ୍ଛେଦ କରାଯାଇଥିଲା, ଯାହା ଏବେ ଅଳିଆ ଡ୍ରେନ ପାର୍ଶ୍ୱରେ ରଖାଯାଇଛି । ଛାଡଖାଇ ପାଇଁ ଗଣନା ଆରମ୍ଭ — ହେଲେ ଏଥର ମଜା ମିଳିବେ ମୁଖେ, ପକେଟ୍ ଯିବ ଖାଲି!

