ନ୍ୟୁଜ ଡେକ୍ସ : ବିଜୁ ଜନତା ଦଳ ସଭାପତି ଓ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନରେ ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର ଗଙ୍ଗନଗର ସ୍ଥିତ ବିଜୁ ଆଦର୍ଶ କଲୋନୀରେ ଆୟୋଜିତ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରାରେ ଯୋଗଦେଲେ ।
ବିଜେଡି କର୍ମୀ ଓ ସମର୍ଥକମାନଙ୍କ ଗହଣରେ ଶ୍ରୀ ପଟ୍ଟନାୟକ ଜନସମୁଦାୟ ସହିତ କିଛି ବାଟ ଚାଲିଥିଲେ ଓ ପରେ ଆୟୋଜିତ ସଭାରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କଲେ । ସେ ତାଙ୍କ ଜନ୍ମଦିନର ଶୁଭେଚ୍ଛା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇ କହିଥିଲେ, “ବିଜୁ ଜନତା ଦଳ ସଦା ଓଡିଶାବାସୀଙ୍କ ସହିତ ରହିଛି ଓ ରହିବ । ସେବା ହେଉଛି ବିଜେଡିର ମନ୍ତ୍ର, ତେଣୁ ଲୋକଙ୍କ ସେବା ଜାରି ରଖିବା ଆମର ପ୍ରଥମ କର୍ତ୍ତବ୍ୟ।”
ଭୁବନେଶ୍ୱର ବିଜୁ ଜନତା ଦଳର ସଭାପତି ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେଡିର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର, ସାଂସଦ ଦେବାଶିଷ ସାମନ୍ତରାୟ, ସାଂସଦ ସୁଲତା ଦେଓ, ବିଧାୟକ ପ୍ରମିଳା ମଲ୍ଲିକ, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ, ବିଧାୟକ ବିଭୁତି ବଳବନ୍ତରାୟ, ଭୁବନେଶ୍ୱରର ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କଅଁର, ବିଜେଡିର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବିଜେଡିର କର୍ପୋରେଟର ମାନେ ଯୋଗ ଦେଇଥିଲେ ।ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅକଟୋବର ୯ରୁ ଆରମ୍ଭ ହୋଇଛି । ଏହା ନଭେମ୍ବର ୯ ପର୍ଯ୍ୟନ୍ତ ଚାଲିବ ।
