Thu. Oct 23rd, 2025

ନ୍ୟୁଜ ଡେକ୍ସ: ସାରା ଦେଶରେ ଏବେ ସମ୍ବେଦନଶୀଳ ପରିସ୍ଥିତି । ଯୁଦ୍ଧ ବିରାମ ଉଲଂଘନ କରି ଭାରତ ସୀମାରେ ଗୁଳି ବର୍ଷା କରୁଛି ପାକିସ୍ତାନ। ଏହାକୁ ପ୍ରତିହତ କରୁଛି ଭାରତ । ଜବାବରେ ପାକିସ୍ତାନ ଆଡକୁ ଡ୍ରୋନ ମାଡ କରୁଛି ଭାରତ । ଏଭଳି ସ୍ଥିତିରେ ବଢିଛି ଓଡିଶା ସରକରଙ୍କ ଚିନ୍ତା । କାଶ୍ମୀର ୟୁନିଭର୍ସିଟିରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବାକୁ ପ୍ରୟାସ ଆରମ୍ଭ ହୋଇଛି ।

ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, ଏଥିପାଇଁ ଖୋଲାଯାଇଛି ରେସିଡେନ୍ସିଆଲ କମିଶନ କାର୍ଯ୍ୟାଳୟର ହେଲ୍ପ ଡେସ୍କ । ଏହା ୨୪ ଘଣ୍ଟା କାମ କରୁଛି । ଏହାର ସହାୟତାରେ ଜମ୍ମୁ- କାଶ୍ମୀରରେ ରହି ପଢୁଥିବା ପିଲାଙ୍କୁ ପ୍ରଥମେ ଦିଲ୍ଲୀ ଅଣାଯାଇ ସେଠାରୁ ସେମାନଙ୍କୁ ଓଡିଶାକୁ ଅଣାଯିବାର ବ୍ୟବସ୍ଥା କରାଯାଇଛି । ତେବେ କାଲି ପାକିସ୍ତାନର ଡ୍ରୋନ୍ ମାଡ଼ ପରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଖାଲି କରିବାକୁ ନିର୍ଦ୍ଦେଶ ଜାରି ହେବା ପରେ ଓଡ଼ିଶା ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଏକ ସ୍ୱତନ୍ତ୍ର ଟିମ୍ ଏଥିପାଇଁ ଗଠନ ହୋଇଥିବା ବେଳେ ସ୍ବତନ୍ତ୍ର ଟିମର ବ୍ୟବସ୍ଥାରେ, ୫ଟି ଟିମ୍ କରି ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି।

ସେମାନେ ପିଲାଙ୍କ ସହ ଯୋଗାଯୋଗ କରି ସେମାନଙ୍କୁ କିପରି ଓଡ଼ିଶା ଫେରାଇସ୍ନିବେ ସେନେଇ ନିର୍ଦ୍ଦେଶ ଦେଇଛନ୍ତି ସରକାର।ତେବେ ସଶସ୍ତ୍ର ବାହିନୀ ‘ଅପରେସନ୍ ସିନ୍ଦୂର’ ଚଳାଇବା ପରେ ଭାରତ ଏବଂ ପାକ ମଧ୍ୟରେ ଉତ୍ତେଜନା ବଢିବା ପରେ ଦେଶ ଭିତରେ ହାଇ ଆଲର୍ଟ ଜାରି କରାଯାଉଛି। ଭାରତର କାର୍ଯ୍ୟାନୁଷ୍ଠାନ ପରେ, ପାକିସ୍ତାନ ଏଲଓସି ଏବଂ ଅନ୍ତର୍ଜାତୀୟ ସୀମା ଦେଇ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଉଡ଼ାଣ କରିଥିବା ବେଳେ ସେନାର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ଏହାକୁ ବାଧା ଦିଆଯାଉଛି। କାଲି ରାତି ପରେ ଆଜି ସକାଳୁ ସକାଳୁ ବି ପାକିସ୍ତାନ ଜମ୍ମୁ ଉପରେ ଡ୍ରୋନ ଆକ୍ରମଣ କରିଛି।

ଏହାକୁ ନେଇ ସୁରକ୍ଷା ଦୃଷ୍ଟିରୁ ଜମ୍ମୁ ଏବଂ ପଞ୍ଜାବ ଏବଂ ରାଜସ୍ଥାନର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ସମ୍ପୂର୍ଣ୍ଣ ବ୍ଲାକଆଉଟ୍ ଲାଗୁ କରାଯାଇଛି, ଅନେକ ସହରରେ ସାଇରନ୍ ବାଜିଛି। ଏହି ସ୍ଥାନଗୁଡ଼ିକ ଉପରେ ରାତିର ଆକାଶରେ ଲାଲ ଝଲସ ଏବଂ ପ୍ରକ୍ଷେପଣୀୟ ଆଲୋକ ଦେଖାଦେଇଛି। ପାକ୍ ଅଧିକୃତ କାଶ୍ମୀରରେ ମଧ୍ୟ ସମ୍ପୂର୍ଣ୍ଣ ବ୍ଲାକଆଉଟ୍ କାର୍ଯ୍ୟକାରୀ କରାଯାଇଛି। ଜମ୍ମୁରେ ସ୍କୁଲ୍ କଲେଜ୍ ସବୁ ବନ୍ଦ କରାଯାଇଛି।

Leave a Reply

Your email address will not be published. Required fields are marked *