Mon. Dec 23rd, 2024

ନ୍ୟୁଜ ଡେସ୍କ: ଜମ୍ମୁ-କଶ୍ମୀରର ୪୦ ଟି ନିର୍ବାଚନମଣ୍ଡଳୀରେ ମତଦାତାମାନେ କଡ଼ା ସୁରକ୍ଷା ମଧ୍ୟରେ ଆଜି ବିଧାନସଭା ନିର୍ବାଚନର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ମତଦାନ କରୁଛନ୍ତି। ସକାଳ ୭ଟାରୁ ଲୋକେ ଧାଡ଼ିରେ ଛିଡା ହୋଇ ଭୋଟ୍‌ ଦେଉଛନ୍ତି। ମୈଦାନରେ ଅଛନ୍ତି ୪୪୯ ଜଣ ପ୍ରାର୍ଥୀ। ପ୍ରଥମ ପର୍ଯ୍ୟାୟ ମତଦାନ ସେପ୍ଟେମ୍ବର ୧୮ତାରିଖରେ ହୋଇଥିଲା। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହୋଇଥିଲା ସେପ୍ଟେମ୍ବର ୨୫ ତାରିଖରେ।

ଭାରତର ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନର ଯଥାକ୍ରମେ ୬୧ ପ୍ରତିଶତ ଏବଂ ୫୭.୩୧ ପ୍ରତିଶତ ରେକର୍ଡ ହୋଇଛି। ଜମ୍ମୁ ବିଭାଗର ୨୪ଟି ବିଧାନସଭା ଆସନ ମଧ୍ୟରୁ ଜମ୍ମୁ, ସାମ୍ବା, କାଠୁଆ ଏବଂ ଉଦାମପୁରର ଆଦି ହିନ୍ଦୁ ସଂଖ୍ୟାଗରିଷ୍ଠ ଜିଲ୍ଲାରେ ଭୋଟ୍ ଗ୍ରହଣ କରାଯିବ। ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଏଠାରେ ବାଜିମାତ୍‌ କରିଥିଲା। ବିଜେପି ଗତ ନିର୍ବାଚନରେ ୨୪ଟି ଆସନରୁ ୨୨ଟି ଆସନ ହାତେଇଥିବା ବେଳେ ଏଥର ବି ବେଶ୍‌ ଆଶାବାଦୀ ରହିଛି।

ଅନ୍ୟପକ୍ଷରେ, କଂଗ୍ରେସ ଏହି ଅଞ୍ଚଳରେ ପୁଣି ଥରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଦୌଡ଼ରେ ସାମିଲ୍‌ ରହିଛି। ତୃତୀୟ ତଥା ଶେଷ ପର୍ଯ୍ୟାୟରେ ଅଧିକାଂଶ ସ୍ଥାନରେ ନ୍ୟାସନାଲ କନଫରେନ୍ସ-କଂଗ୍ରେସ ମେଣ୍ଟ, ବିଜେପି ଓ ପିଡିପି ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି।

Leave a Reply

Your email address will not be published. Required fields are marked *