Sat. Feb 21st, 2026

ନ୍ୟୁଜ ଡେକ୍ସ : ପବିତ୍ର ଜାଗର ଉପଲକ୍ଷେ ରାଜ୍ୟର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ଭିଡ଼ ଓ ପୂଜାର ଆୟୋଜନ ଚାଲିଥିବା ବେଳେ ଦୁଇଟି ସ୍ଥାନରେ ଦୁର୍ଘଟଣା ଘଟି ଦୁଇ ମହିଳା ଗୁରୁତର ଆହତ ହୋଇଛନ୍ତି। କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାରେ ଦୀପ ଲଗାଉଥିବା ସମୟରେ ଅସାବଧାନତାରୁ ନିଆଁ ଲାଗି ଏହି ଦୁର୍ଘଟଣା ଘଟିଛି।

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ ଆନନ୍ଦପୁର ଥାନା ଅଧୀନ ବଞ୍ଚୋରେ ଥିବା ବଟେଶ୍ୱୋର ମହାଦେବ ମନ୍ଦିରରେ ଏକ ମହିଳା ଠାକୁର ଦର୍ଶନ କରୁଥିବା ସମୟରେ ଦୀପ ନିଆଁ ତାଙ୍କ ଶାଢ଼ୀରେ ଲାଗିଯାଇଥିଲା। ଫଳରେ ସେ ଆହତ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ଅନ୍ୟପଟେ ବାଲେଶ୍ୱର ଜିଲ୍ଲାର ସୋର ଅଞ୍ଚଳରେ ମଧ୍ୟ ଏଭଳି ଏକ ଦୁଃଖଦ ଘଟଣା ଘଟିଛି। ଗଣ୍ଡିବେଡ଼ ଗ୍ରାମର ରଂଜୁସ୍ମିତା ବେହେରା (୨୮) ଆଜି ସକାଳେ ଜାଗର ପାଇଁ ଗଣ୍ଡିବେଡ଼ ବଜାରସ୍ଥିତ ଲଙ୍କେଶ୍ୱର ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ।

ସେଠାରେ ଦୀପ ଲଗାଉଥିବା ସମୟରେ ଅଚାନକ ତାଙ୍କ ଶାଢ଼ୀରେ ନିଆଁ ଲାଗିଯାଇଥିଲା। ଏଥିରେ ସେ ଗୁରୁତର ଭାବେ ପୋଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।ଜାଗର ଉପଲକ୍ଷେ ମନ୍ଦିରରେ ଦୀପ ଓ ନିଆଁ ବ୍ୟବହାର ସମୟରେ ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନ ଓ ସ୍ଥାନୀୟ ଲୋକେ ଆହ୍ୱାନ କରିଛନ୍ତି, ଯାହା ଦ୍ୱାରା ଏଭଳି ଦୁର୍ଘଟଣାକୁ ରୋକାଯାଇପାରିବ।

Leave a Reply

Your email address will not be published. Required fields are marked *