Mon. Dec 23rd, 2024

ନ୍ୟୁଜ ଡେକ୍ସ: ଜାଡରେ ଥରୁଛି ସାରା ଓଡ଼ିଶା। ଜଙ୍ଗଲ ପାହାଡ଼ ଘେରା ଅନେକ ଅଞ୍ଚଳରେ ଦେଖିବାକୁ ମିଳିଛି ତୁଷାରପାତ । ଅନେକ ଜିଲ୍ଲାରେ ପାରଦ ୧୦ ଡିଗ୍ରୀ ତଳେ ରହିଥିବା ବେଳେ ଆହୁରି ୨୪ ଘଣ୍ଟା ଯାଏଁ ଏଭଳି ଶୀତ ଲହରୀ ଜାରି ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଲହରୀ ବହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା ।

ସୋମବାର ସକାଳୁ ଅସମ୍ଭାଳ ଶୀତ ଅନୁଭୂତ ହୋଇଥିଲା । ଜି ଉଦୟଗିରିରେ ପାରଦ ୫ ଡିଗ୍ରୀ ତଳକୁ ଖସିଥିଲା । ଏଠାରେ ପାରଦ ୪.୮ ଡିଗ୍ରୀ ରେକର୍ଡ ହୋଇଛି । ୧୨ ସହରରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି । ରାଉରକେଲାରେ ସର୍ବନିମ୍ନ ୫.୭ ଡିଗ୍ରୀ ଓ ଫୁଲବାଣୀରେ ୭ଡିଗ୍ରୀ ରେକର୍ଡ ହୋଇଛି । ମଙ୍ଗଳବାର ସକାଳ ଯାଏ ଶୀତ ଜାରି ରହିବ । କିନ୍ତୁ ରାତିରେ ତାପମାତ୍ରା କ୍ରମଶଃ ବଢ଼ିଯିବ । ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ରାତି ତାପମାତ୍ରା ବଢ଼ିବ । ୧୭ରୁ ୨୦ ତାରିଖ ଯାଏ ରାତି ତାପମାତ୍ରା ୪ରୁ ୬ ଡିଗ୍ରୀ ବଢ଼ିଯିବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡା. ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ମଙ୍ଗଳବାର ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିଯିବ । ୧୮ ତାରିଖ ରାତିରେ ଏ ସବୁ ସ୍ଥାନରେ ଆଉ ୩ ଡିଗ୍ରୀ ବଢ଼ିବ । ୨୦ ତାରିଖ ଯାଏ ତାପମାତ୍ରା ପ୍ରାୟ ୬ ଡିଗ୍ରୀ ବଢ଼ିବ ।

୨୪ ଘଣ୍ଟାରେ ଶୀତ ଲହରୀ ପାଇଁ ଝାରସୁଗୁଡ଼ା, ସୁନ୍ଦରଗଡ଼, ଜଗତସିଂହପୁର ଓ ଅନୁଗୁଳକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ଘନ କୁହୁଡ଼ି ପାଇଁ କୋରାପୁଟ ଓ କନ୍ଧମାଳକୁ ୟେଲୋ ଆଲର୍ଟ ଦିଆଯାଇଛି ।ଉପକୂଳରୁ ଉପାନ୍ତ, ଉତ୍ତରରୁ ଦକ୍ଷିଣ ସବୁଠି ଦେଖାଦେଇଛି ଥଣ୍ଡାର ପ୍ରକୋପ। ରାଜ୍ୟର ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଥିବା ନେଇ ସୂଚନା ମିଳିଛି। ସୁନ୍ଦରଗଡ଼ର କୋଇଡ଼ା, ମୟୂରଭଞ୍ଜର ଶିମିଳିପାଳ ଅଭୟାରଣ୍ୟ ଓ କନ୍ଧମାଳର ରାଇକିଆରେ ତୁଷାରପାତ ହୋଇଛି । ସେପଟେ ଗତକାଲି ଶିମିଳିପାଳ ଅଭୟାରଣ୍ୟର ଉପର ବାରାକାମୁଡ଼ାରେ ସର୍ବନିମ୍ନ ୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି ରାଇକିଆରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *