ନ୍ୟୁଜ ଡେକ୍ସ : ନୂଆବର୍ଷରୁ ରାଜ୍ୟରେ ଯାନବାହନ ପ୍ରଦୂଷଣ ନିୟନ୍ତ୍ରଣକୁ ନେଇ କଡା ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ସରକାର। ଜାନୁଆରୀ ୧ ତାରିଖରୁ ବୈଧ ପ୍ରଦୂଷଣ ପ୍ରମାଣପତ୍ର (PUC) ନଥିଲେ ପେଟ୍ରୋଲ ପମ୍ପରୁ ପେଟ୍ରୋଲ କିମ୍ବା ଡିଜେଲ ମିଳିବ ନାହିଁ। ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
‘ବୈଧ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ପେଟ୍ରୋଲ ପମ୍ପରେ ଇନ୍ଧନ ମନା’ ନିୟମର କାର୍ଯ୍ୟକାରିତା ଏବଂ ସାଧାରଣ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଜାନୁଆରୀ ୧ରୁ ‘ସଡ଼କ ସପ୍ତାହ ମାସ’ ଆରମ୍ଭ ହେଉଥିବାରୁ ସେହି ଦିନଠାରୁ ଏହି ନିୟମକୁ କଡାକଡି ପାଳନ କରାଯିବ।ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି ଯେ, ଆଗାମୀ ଦିନରେ ପ୍ରଦୂଷଣ ପ୍ରମାଣପତ୍ର କରିବା ପାଇଁ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ। ନିୟମ କାର୍ଯ୍ୟକାରୀ କରିବା ପୂର୍ବରୁ ଅନ୍ତତଃ ୧୫ ଦିନ ଧରି ସଚେତନତା ଅଭିଯାନ ଚାଲିବ। ତଥାପି ଯେଉଁ ଯାନବାହନ ମାଲିକମାନେ ବୈଧ PUC ନ କରିବେ, ସେମାନଙ୍କୁ ପେଟ୍ରୋଲ ପମ୍ପରେ ଇନ୍ଧନ ଦେବାକୁ ମନା କରାଯିବ।
ଏହାସହ ଯାନବାହନରେ ବିଶେଷ ଷ୍ଟିକର ଲଗାଇ ପ୍ରଦୂଷଣ ପ୍ରମାଣପତ୍ରର ବୈଧତା ସମୟ ଉଲ୍ଲେଖ କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି।ପରିବହନ କମିଶନର ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପେଟ୍ରୋଲ ଡିଲର ଆସୋସିଏସନ, ତୈଳ କମ୍ପାନୀର ଅଧିକାରୀ ଓ ପରିବହନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ନୂଆ ନିୟମ ମାଧ୍ୟମରେ ରାଜ୍ୟରେ ବାୟୁ ପ୍ରଦୂଷଣ କମାଇବା ସହ ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନ ହେବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।

