ନ୍ୟୁଜ ଡେକ୍ସ : ଆସନ୍ତା ଜାନୁଆରୀ ୬ ତାରିଖରୁ ସାରା ରାଜ୍ୟରେ ପକ୍ଷୀ ଗଣନା ଆରମ୍ଭ ହେବ। ଏହି ସମ୍ପର୍କରେ ପ୍ରତିକ୍ରିୟା ରଖି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି ଯେ, ଚିଲିକା, ନଳବଣ, ମଙ୍ଗଳାଯୋଡ଼ି, ହୀରାକୁଦ ଓ ନନ୍ଦନକାନନ ପରି ପ୍ରମୁଖ ସ୍ଥାନରେ ବିଦେଶୀ ପକ୍ଷୀଙ୍କ ଆଗମନକୁ ନେଇ ବିଶେଷ ଭାବରେ ଗଣତି କରାଯିବ।ମନ୍ତ୍ରୀ କହିଛନ୍ତି ଯେ, ପକ୍ଷୀ ଗଣନା କାର୍ଯ୍ୟରେ ଜଙ୍ଗଲ ଓ ପରିବେଶ ବିଭାଗ ସହ ପର୍ଯ୍ୟଟନ ବିଭାଗର ସହଯୋଗ ମଧ୍ୟ ନିଆଯିବ।
ପର୍ଯ୍ୟଟନ ଦୃଷ୍ଟିକୋଣରୁ ପକ୍ଷୀ ଆଗମନର ସଠିକ ତଥ୍ୟ ସଂଗ୍ରହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଉଲ୍ଲେଖ କରିଛନ୍ତି। ରାଜ୍ୟକୁ ପକ୍ଷୀ ସଂଖ୍ୟା କମ୍ ଆସୁଥିବା ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି, ଯାହାର ପ୍ରଭାବ ପକ୍ଷୀଙ୍କ ଆଗମନ ଉପରେ ପଡ଼ୁଛି।ପକ୍ଷୀଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ଏହାର ଅଂଶ ଭାବେ ପକ୍ଷୀ ସଂରକ୍ଷଣ କ୍ଷେତ୍ର ସୁଦୃଢ଼ କରାଯିବ, ଆଧୁନିକ ୱାଚ୍ ଟାୱାର ଓ ଏନକ୍ଲୋଜର ନିର୍ମାଣ ହେବ, ପକ୍ଷୀମାନଙ୍କ ପାଇଁ ଉପଯୁକ୍ତ ଓ ଆଧୁନିକ ପରିବେଶ ସୃଷ୍ଟି କରାଯିବ। ସେହିପରି ସାଧାରଣ ଲୋକଙ୍କୁ ପକ୍ଷୀ ସୁରକ୍ଷା ପ୍ରତି ସଚେତନ କରାଯିବ।ଏହା ସହିତ ଅବୈଧ ଶିକାର ଓ ଶିକାରୀମାନଙ୍କ ଗତିବିଧି ରୋକିବା ପାଇଁ କଡା ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି।

