Sat. Feb 21st, 2026

ନ୍ୟୁଜ ଡେକ୍ସ : ନୂତନ ବର୍ଷ ପୂର୍ବରୁ ଦେଶବାସୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର। ଜାପାନକୁ ପଛରେ ପକାଇ ଭାରତ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତିରେ ପରିଣତ ହୋଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଭାରତର ମୋଟ ଘରୋଇ ଉତ୍ପାଦ (GDP) ୪.୧୮ ଟ୍ରିଲିୟନ ଡଲାରରେ ପହଞ୍ଚିଛି, ଯାହା ସହିତ ଭାରତ ଜାପାନକୁ ଅତିକ୍ରମ କରିଛି।

ସରକାରୀ ରିପୋର୍ଟ ଅନୁଯାୟୀ, ୨୦୨୫–୨୬ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ଭାରତର ପ୍ରକୃତ GDP ଅଭିବୃଦ୍ଧି ହାର ୮.୨ ପ୍ରତିଶତ ରହିଛି, ଯାହା ଗତ ୬ଟି ତ୍ରୈମାସିକ ମଧ୍ୟରେ ସର୍ବାଧିକ। ଦୃଢ଼ ଘରୋଇ ଖର୍ଚ୍ଚ, ଢାଞ୍ଚାଗତ ବିକାଶ ଓ ନୀତିଗତ ସଂସ୍କାର ଯୋଗୁଁ ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ଭାବେ ଉଭୟତା ରଖିଛି ବୋଲି କେନ୍ଦ୍ର ସରକାର କହିଛନ୍ତି।ବର୍ତ୍ତମାନ ବିଶ୍ୱ ଅର୍ଥନୀତିରେ ଆମେରିକା ପ୍ରଥମ, ଚୀନ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଭାରତ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି।

ସରକାରୀ ଆକଳନ ଅନୁଯାୟୀ, ୨୦୩୦ ସୁଦ୍ଧା ଭାରତର GDP ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ ଏବଂ ସେହି ସମୟ ସୁଦ୍ଧା ଜର୍ମାନୀକୁ ପଛରେ ପକାଇ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବ।ଗତ କିଛି ବର୍ଷ ଧରି ଭାରତୀୟ ଅର୍ଥନୀତିର ଦ୍ରୁତ ଅଭିବୃଦ୍ଧିକୁ ନେଇ ବିଶ୍ୱସ୍ତରୀୟ ସଂସ୍ଥାଗୁଡ଼ିକ ମଧ୍ୟ ସକାରାତ୍ମକ ମତ ପ୍ରକାଶ କରିଛନ୍ତି। ବିଶ୍ୱ ବ୍ୟାଙ୍କ ୨୦୨୬ ପାଇଁ ୬.୫ ପ୍ରତିଶତ ଅଭିବୃଦ୍ଧି ହାର ଆକଳନ କରିଥିବା ବେଳେ, ମୁଡିସ୍ ଅନୁମାନ କରିଛି ଯେ ଭାରତ ୨୦୨୬ରେ ୬.୪ ପ୍ରତିଶତ ଏବଂ ୨୦୨୭ରେ ୬.୫ ପ୍ରତିଶତ ଅଭିବୃଦ୍ଧି ସହ ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ G20 ଅର୍ଥନୀତି ରହିବ।

ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ୨୦୨୫ ପାଇଁ ଭାରତର ଅଭିବୃଦ୍ଧି ପୂର୍ବାନୁମାନ ୬.୬ ପ୍ରତିଶତ ଏବଂ ୨୦୨୬ ପାଇଁ ୬.୨ ପ୍ରତିଶତକୁ ବୃଦ୍ଧି କରିଛି। ସେହିପରି OECD ୨୦୨୫ରେ ୬.୭ ପ୍ରତିଶତ ଏବଂ ୨୦୨୬ରେ ୬.୨ ପ୍ରତିଶତ ଅଭିବୃଦ୍ଧି ହେବ ବୋଲି ଆକଳନ କରିଛି। ଏହି ସଫଳତାକୁ ନେଇ ସରକାର ଓ ଅର୍ଥନୀତିବିଦ୍‌ମାନେ ଆଶା ପ୍ରକାଶ କରିଛନ୍ତି ଯେ, ଆଗାମୀ ଦିନରେ ଭାରତ ଆହୁରି ଶକ୍ତିଶାଳୀ ଅର୍ଥନୀତି ଭାବେ ବିଶ୍ୱମଞ୍ଚରେ ଉଭୟତା ପ୍ରତିଷ୍ଠା କରିବ।

Leave a Reply

Your email address will not be published. Required fields are marked *