ନ୍ୟୁଜ ଡେକ୍ସ : ଜାପାନର ଉତ୍ତର ଉପକୂଳ ନିକଟ ସମୁଦ୍ର ଭିତରେ ଆଜି ଜୋରଦାର ୭.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଜାପାନ ପାଣିପାଗ ବିଭାଗ ପକ୍ଷରୁ ଏହି ଶକ୍ତିଶାଳୀ ଭୂମିକମ୍ପ ହୋଇଥିବା କଥା ନିଶ୍ଚିତ କରାଯାଇଛି। ଭୂମିକମ୍ପ ପରେ ପୂର୍ବତ୍ତୋର ତଟ ଓ ବିଭିନ୍ନ ଉପକୂଳ ଅଞ୍ଚଳରେ ସୁନାମୀ ପାଇଁ ଚେତାବନୀ ଜାରି କରାଯାଇଛି।
ପାଣିପାଗ ବିଭାଗ ଅନୁସାରେ ୩ ମିଟର ପର୍ଯ୍ୟନ୍ତ ଉଚ୍ଚତାର ସୁନାମୀ ଲହର ଆସିପାରେ। ଏକ ମହଲା ଉଚ୍ଚତାର ତୀବ୍ର ଲହରୀ ଆସିବାର ଆଶଙ୍କା ଥିବାରୁ ଉପକୂଳବାସୀଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଇଶିକାୱା ଅଞ୍ଚଳରେ ଲୋକଙ୍କୁ ତୁରନ୍ତ ସୁରକ୍ଷିତ ଆଶ୍ରୟକେନ୍ଦ୍ରକୁ ଯିବାକୁ ସତର୍କ କରାଯାଇଛି।
ସରକାର ପକ୍ଷରୁ ସମସ୍ତ ଜରୁରୀକାଳୀନ ସେବାକୁ ସଜାଗ ରହିବା ସହ ଲୋକଙ୍କ ସୁରକ୍ଷା ପାଇଁ ତୁରନ୍ତ ଉପଲବ୍ଧ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଭୂମିକମ୍ପ ଦ୍ୱାରା ଏ ପର୍ଯ୍ୟନ୍ତ କୌଣସି ଜନଜୀବନ କ୍ଷତି ସଂପର୍କରେ ସୂଚନା ମିଳିନାହିଁ। ପରିସ୍ଥିତି ଉପରେ ପ୍ରଶାସନ କଟୁସତର୍କ ଦୃଷ୍ଟି ରଖିଛି।

