ନ୍ୟୁଜ ଡେକ୍ସ : ନୂଆବର୍ଷକୁ ସ୍ୱାଗତ ଓ ପୁରୁଣା ବର୍ଷକୁ ବିଦାୟ ଦେବା ପାଇଁ ଜିରୋ ନାଇଟ୍ ସେଲିବ୍ରେସନ୍କୁ ନଜରରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ।ପୋଲିସ କମିଶନର କହିଛନ୍ତି ଯେ, ଜିରୋ ନାଇଟ୍ ଓ ନୂଆବର୍ଷ ରାତିରେ ଟ୍ୱିନ୍ ସିଟି—ଭୁବନେଶ୍ୱର ଓ କଟକରେ ସୁରକ୍ଷା ପାଇଁ ୧୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ରହିବେ।
ସମସ୍ତ ଥାନା ଅଧିକାରୀମାନେ ନିଜ ନିଜ ଥାନା ଅଞ୍ଚଳରେ ସ୍ଥିତି ଉପରେ କଢ଼ା ନଜର ରଖିବେ ଏବଂ ରାତି ସାରା ପ୍ରହରା ଜାରି ରହିବ।ସୁରକ୍ଷିତ ଭାବେ ସେଲିବ୍ରେସନ୍ କରାଯିବାକୁ ଗୁରୁତ୍ୱ ଦିଆଯାଇଥିବା ବେଳେ, ମଦ୍ୟପ ଅବସ୍ଥାରେ ଗାଡ଼ି ଚାଳନା କରୁଥିବା ଚାଳକଙ୍କ ଉପରେ କଢ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି। ସେହିପରି ଅଗ୍ନିଶମ ବାହିନୀ ପକ୍ଷରୁ ମଧ୍ୟ ହୋଟେଲ, ବାର୍ ଓ ରେଷ୍ଟୁରାଣ୍ଟଗୁଡ଼ିକରେ ଯାଞ୍ଚ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯାଇଛି। ବାର୍ ଓ ରେଷ୍ଟୁରାଣ୍ଟ ମାଲିକମାନଙ୍କୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ସହ ନିର୍ଦ୍ଧାରିତ ସମୟ ସୀମା ଭିତରେ କାର୍ଯ୍ୟକ୍ରମ ସାରିବାକୁ କଢ଼ା ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ମହିଳାଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିବା ବେଳେ, ପ୍ରମୁଖ ସ୍ଥାନଗୁଡ଼ିକରେ ଅତିରିକ୍ତ ପେଟ୍ରୋଲିଂ ଓ ଚେକିଂ ବ୍ୟବସ୍ଥା କରାଯାଇଛି।
ଅନ୍ୟଦିଗରେ, ଜିରୋ ନାଇଟ୍କୁ ନେଇ ଭୁବନେଶ୍ୱରର ବିଭିନ୍ନ ତାରକା ହୋଟେଲ ଓ ମନୋରଞ୍ଜନ କେନ୍ଦ୍ରଗୁଡ଼ିକ ସେଲିବ୍ରେସନ୍ ପାଇଁ ପୂରା ପ୍ରସ୍ତୁତ ହୋଇସାରିଛନ୍ତି। ଡିଜେ ଲାଇଟ୍, ଆର୍ଜେଙ୍କ ସଂଚାଳନା, ଅଭିନେତା–ଅଭିନେତ୍ରୀଙ୍କ ଅଭିନୟ ଓ କଣ୍ଠଶିଳ୍ପୀଙ୍କ ସଙ୍ଗୀତରେ ଯୁବପିଢ଼ିରୁ ଆରମ୍ଭ କରି ବୟସ୍କମାନେ ମଧ୍ୟ ମତୁଆଲା ହେବେ। ତେବେ ସମସ୍ତଙ୍କୁ ଆନନ୍ଦ ସହ ଶୃଙ୍ଖଳା ଓ ସୁରକ୍ଷା ରଖି ନୂଆବର୍ଷକୁ ସ୍ୱାଗତ କରିବାକୁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି।

