ନ୍ୟୁଜ ଡେକ୍ସ : ରାଜ୍ୟରେ ଆସନ୍ତା ଜୁନ୍ ମାସ ଏକ ନୂତନ ରାଜନୈତିକ ଅଧ୍ୟାୟ ଆଣିବାକୁ ଯାଉଛି। ଗତ ଡିସେମ୍ବରରେ ଘୋଷିତ ନୂତନ ପୌରାଞ୍ଚଳ ଓ ଏନ୍ଏସିଗୁଡ଼ିକରେ ପ୍ରଥମଥର ପାଇଁ ପୌର ନିର୍ବାଚନ ହେବାକୁ ଯାଉଛି। ନିୟମାନୁସାରେ, କୌଣସି ପୌରାଞ୍ଚଳ ଘୋଷଣା ହେବାର ୬ ମାସ ମଧ୍ୟରେ ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ଦରକାର।
ସେହିହିସାବରେ ଆସନ୍ତା ଜୁନ୍ ଶେଷ ସୁଦ୍ଧା ସମସ୍ତ ୨୪ଟି ନୂତନ ଏନ୍ଏସି ଓ ପୌରପାଳିକାରେ ମତଗଣନା ସହ ପ୍ରଥମ ପରିଷଦ ବୈଠକ ବସିବ।ଏନେଇ ରାଜ୍ୟ ନିର୍ବାଚନ କମିସନର ମଧୁସୂଦନ ପାଢ଼ୀ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଆବଶ୍ୟକ ପଦକ୍ଷେପ ନେବାକୁ ଅବଗତ କରାଇଛନ୍ତି। ଗଞ୍ଜାମ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ଶ୍ରୀ ପାଢ଼ୀ ନିର୍ବାଚନ ପ୍ରସ୍ତୁତିର ରୋଡମ୍ୟାପ୍ ସ୍ପଷ୍ଟ କରିଥିଲେ।ବୈଠକରେ ଦକ୍ଷିଣାଞ୍ଚଳ ରାଜସ୍ବ କମିସନର ସଂଗ୍ରାମ କେଶରୀ ମହାପାତ୍ର, ନିର୍ବାଚନ କମିସନରଙ୍କ ସଚିବ ସନ୍ତୋଷ ଦାସ ସହ ଡିଭିଜନ୍ ଅନ୍ତର୍ଗତ ୮ଟି ଜିଲ୍ଲାର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଓ ବ୍ରହ୍ମପୁର ମହାନଗର ନିଗମ କମିସନର ଉପସ୍ଥିତ ଥିଲେ।
ନିର୍ବାଚନ କମିସନରଙ୍କ ସୂଚନା ଅନୁସାରେ, ୧୪ଟି ଜିଲ୍ଲାରେ ଘୋଷିତ ୨୪ଟି ଏନ୍ଏସିର ସୀମା ପୁନଃନିର୍ଦ୍ଧାରଣ କାର୍ଯ୍ୟ ମାର୍ଚ୍ଚ ଶେଷ ସୁଦ୍ଧା ସମ୍ପନ୍ନ ହେବ। ଏହା ପରେ ଆସନ ସଂରକ୍ଷଣ ପ୍ରକ୍ରିୟା ସରି ନିର୍ବାଚନର ଔପଚାରିକ ଘୋଷଣା ହେବ। ଭୋଟର ତାଲିକା ପ୍ରସ୍ତୁତି ପାଇଁ ୪୫ ଦିନ ଓ ମତଦାନ ପ୍ରକ୍ରିୟା ପାଇଁ ୩୫ ଦିନ ସମୟ ଧାର୍ଯ୍ୟ କରାଯାଇଛି।ଗତ ଡିସେମ୍ବରରେ ପାଳଲହଡ଼ା, ସିମୁଳିଆ, ସୋହେଲା, ତିହିଡ଼ି, ଧୂଷୁରୀ, ସାଲେପୁର, ବଡ଼ମ୍ବା, ନରସିଂହପୁର, ଗଁଦିଆ, ଜଗନ୍ନାଥପ୍ରସାଦ, ପାତ୍ରପୁର, ନର୍ଲା, ଜୟପାଟଣା, ଟାଙ୍ଗୀ, ବୋରିଗୁମ୍ମା, ବେତନଟୀ, ବାଙ୍ଗିରିପୋଷି, ଚିତ୍ରଡ଼ା, କପ୍ତିପଦା, ରାସଗୋବିନ୍ଦପୁର, ବିଷମକଟକ, ବାମରା, ରେଙ୍ଗାଳି ଓ ବୀରମହାରାଜପୁରକୁ ରାଜ୍ୟ ସରକାର ଏନ୍ଏସି ମାନ୍ୟତା ପ୍ରଦାନ କରିଥିଲେ।
ଏହି ନୂତନ ପୌରାଞ୍ଚଳଗୁଡ଼ିକରେ ହେବାକୁ ଯାଉଥିବା ନିର୍ବାଚନକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଉଛି। ବର୍ଷଧରି ପ୍ରତୀକ୍ଷାରେ ଥିବା ଏହି ଅଞ୍ଚଳଗୁଡ଼ିକରେ ଏବେ ପ୍ରଥମଥର ପାଇଁ ଲୋକତାନ୍ତ୍ରିକ ପ୍ରତିନିଧି ଚୟନ ହେବ, ଯାହା ସ୍ଥାନୀୟ ବିକାଶରେ ଏକ ନୂତନ ଦିଗ ଦେଇପାରିବ।

