Thu. Oct 23rd, 2025

ନ୍ୟୁଜ ଡେକ୍ସ: ଆସନ୍ତା ୨୦ ତାରିଖରେ ଖୋଲିବ ସ୍କୁଲ । ୫୮ ଦିନ ପରେ ରାଜ୍ୟରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ବଭଳି ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୨୨ ତାରିଖରୁ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଥିଲା ।

ତେବେ ସ୍କୁଲ ଖୋଲିବା ପରେ ପିଲାଙ୍କ ପାଠପଢ଼ା ଯେପରି ସ୍ବାଭାବିକ ହେବ ଓ ୨୦୨୫-୨୬ ଶିକ୍ଷାବର୍ଷ ଠିକ୍‌ ଭାବେ ପରିଚାଳିତ ହୋଇପାରିବ ସେନେଇ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ/ପ୍ରଧାନଶିକ୍ଷକଙ୍କ ଉପରେ ଅଧିକ ଦାୟିତ୍ୱ ନ୍ୟସ୍ତ କରାଯାଇଛି ।ସେହିପରି ଶିକ୍ଷକ, ଶିକ୍ଷୟିତ୍ରୀ, ଅଫିସ କର୍ମଚାରୀ, ସଫେଇ କର୍ମଚାରୀ, ରୋଷେୟା ଜୁନ୍‌ ୧୯ରୁ ବିଦ୍ୟାଳୟରେ ଯୋଗଦେବାକୁ ଜିଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଚିଠି କରାଯାଇଛି ।

ସେମାନେ ବିଦ୍ୟାଳୟରେ ଯୋଗଦେଇ କ୍ଲାସରୁମ୍‌ ଏବଂ ବିଦ୍ୟାଳୟ ପରିସର ସଫା କରିବେ । ଶ୍ରେଣୀଗୃହଠାରୁ ଆରମ୍ଭ କରି ଶୌଚାଳୟ ପରିଷ୍କାର କରିବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶ ଅନୁଯାୟୀ, ଶ୍ରେଣୀ ଗୃହ, କ୍ୟାମ୍ପସକୁ ସଫା କରାଯିବ । ଅନାବନା ଘାସ କଟାଯିବା ସହ ପାଣି ଟାଙ୍କି ସଫା କରାଯିବ। ଶ୍ରେଣୀ ଗୃହରେ ଥିବା ସମସ୍ତ ଫର୍ଣ୍ଣିଚରକୁ ସଫା କରି ପିଲାଙ୍କ ବସିବା ପାଇଁ ଉପଯୋଗୀ କରାଯିବ।

Leave a Reply

Your email address will not be published. Required fields are marked *