ନ୍ୟୁଜ ଡେକ୍ସ : ରାଜ୍ୟର ଜେଲ ସୁରକ୍ଷା ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ। ଏବେ ଜେଲ ଭିତରକୁ ନିଶାଦ୍ରବ୍ୟ କିମ୍ବା କୌଣସି ସନ୍ଦେହଜନକ ବସ୍ତୁ ଫିଙ୍ଗିଲେ ସେଥିରେ ତୁରନ୍ତ ଧରାପଡ଼ିବ। ରାଜ୍ୟରେ ପ୍ରଥମଥର ପାଇଁ ଜେଲଗୁଡ଼ିକରେ AI ଆଧାରିତ କ୍ୟାମେରା ସ୍ଥାପନ ଆରମ୍ଭ ହୋଇଛି। ପାଇଲଟ୍ ପ୍ରୋଜେକ୍ଟ ଭାବରେ ଢେଙ୍କାନାଳ ଜେଲରେ ଏହା ସଫଳ ହେବା ପରେ ଏବେ ଏହି ପ୍ରଣାଳୀକୁ ସମଗ୍ର ରାଜ୍ୟରେ ଲାଗୁ କରିବା ଯୋଜନା ହୋଇଛି।
ପ୍ରଥମ ପର୍ଯ୍ୟାୟରେ ୧୮ଟି ଜେଲରେ ୧୬ଟି ଲେଖାଏଁ AI କ୍ୟାମେରା ସ୍ଥାପନ କରାଯିବ। ପରୀକ୍ଷଣ ସଫଳ ହେବା ପରେ ଦ୍ୱୀତିୟ ପର୍ଯ୍ୟାୟରେ ଝାରପଡ଼ା, ଚୋଦ୍ବାର, ସମ୍ବଲପୁର ଓ ବ୍ରହ୍ମପୁର—ଏହି ୪ଟି ବଡ଼ ଜେଲରେ ୩୨ଟି କରି କ୍ୟାମେରା ଲଗାଯିବ।ଏହି AI କ୍ୟାମେରାରେ ‘ଇମାଜିନେରି ଲାଇନ’ ଟେକ୍ନୋଲୋଜି ରହିଛି। କେହି ଏହାକୁ କ୍ରସ୍ କଲେ କିମ୍ବା ସନ୍ଦେହଜନକ ଗତିବିଧି ହେଲେ ସହସା ବଜର ବାଜି ଉଠିବ। ଏହା ଫଳରେ ଜେଲ କର୍ତ୍ତୃପକ୍ଷ ତୁରନ୍ତ ଆଲର୍ଟ ହୋଇପାରିବେ। ପାଚେରି ଭିତରକୁ କିଛି ଫିଙ୍ଗିବା କିମ୍ବା ବାହାରକୁ ଛାଡ଼ିବା ମଧ୍ୟ ସହଜରେ ଧରାପଡ଼ିବ।
ଡିଜିଙ୍କ ନିର୍ଦ୍ଦେଶକ୍ରମେ ଏହି ପ୍ରଣାଳୀ ଲାଗୁ କରାଯାଇଛି ଏବଂ ଟେଷ୍ଟିଂ ସଫଳ ହୋଇଛି। ଏହା ମାଧ୍ୟମରେ କଏଦୀଙ୍କ ଫେରାର, ନିଶା ଚୋରାଚାଳା ଓ ଅସାମାଜିକ କାର୍ଯ୍ୟକଳାପକୁ ବଡ଼ ମାପରେ ରୋକାଯିବ ବୋଲି ଆଶା କରାଯାଉଛି।AI ପ୍ରଯୁକ୍ତି ସହିତ ଜେଲ ସୁରକ୍ଷା ବ୍ୟବସ୍ଥା ଏବେ ଅଧିକ ସ୍ମାର୍ଟ ଓ ସୁଦୃଢ଼ ହେବ । ଏହା ରାଜ୍ୟର ଆଇନ-ଶୃଙ୍ଖଳା ବ୍ୟବସ୍ଥା ପାଇଁ ଏକ ମାଇଲସ୍ଟୋନ୍ ବୋଲି କୁହାଯାଉଛି।

