ନ୍ୟୁଜ ଡେକ୍ସ :ଏଣିକି ଗରିବ ଓ ଅସହାୟ ପରିବାରର ଝିଅମାନଙ୍କ ବାହାଘର ପାଇଁ ଆଉ ଚିନ୍ତା ନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା (MKBY)କୁ ସରକାରୀ ମଞ୍ଜୁରୀ ମିଳିଥିବା ବେଳେ ଏହାର ଗାଇଡ୍ଲାଇନ ମଧ୍ୟ ଜାରି କରାଯାଇଛି।
ଏହି ଯୋଜନା ଅଧୀନରେ ଗରିବ, ଅସହାୟ ଓ ସମାଜର ବଞ୍ଚିତ ବର୍ଗର ଯୁବତୀମାନଙ୍କୁ ମୋଟ ୫୧ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ।ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଚିଠି ଜାରି କରାଯାଇଛି। ଯୋଜନା ଅନୁଯାୟୀ, ସିଧାସଳଖ ୩୫ ହଜାର ଟଙ୍କା ହିତାଧିକାରୀ ଯୁବତୀଙ୍କ ବ୍ୟାଙ୍କ ଖାତାକୁ ପଠାଯିବ। ଏହାସହ ୧୦ ହଜାର ଟଙ୍କାର ଗିଫ୍ଟ ପ୍ୟାକେଟ ସରକାରଙ୍କ ପକ୍ଷରୁ ମିଳିବ। ଏହି ଗିଫ୍ଟ ପ୍ୟାକେଟରେ ପାଉଞ୍ଜି, ଚୁଡି, ଟିକିଲି, ବାସନ, ଶାଢି ଭଳି ବିବାହ ସାମଗ୍ରୀ ରହିବ।
ସେହିପରି ବିବାହର ସାଜସଜ୍ଜା ପାଇଁ ଏନଜିଓ ମାଧ୍ୟମରେ ୬ ହଜାର ଟଙ୍କା ପ୍ରଦାନ କରାଯିବ। ଏସସି, ଏସଟି, ଦିବ୍ୟାଙ୍ଗ ଓ ବିଧବା ମହିଳାମାନଙ୍କୁ ଏହି ଯୋଜନାରେ ଅଗ୍ରାଧିକାର ମିଳିବ। ଯୋଜନାର ନିୟମ ଅନୁସାରେ, ୧୮ ବର୍ଷରୁ ଅଧିକ ବୟସର ଯୁବତୀମାନେ ଆବେଦନ କରିପାରିବେ। ଯେଉଁ ଯୁବତୀ ଓ ଯୁବକ ପ୍ରଥମଥର ପାଇଁ ବିବାହ କରୁଛନ୍ତି, କେବଳ ସେମାନେ ଏହି ସୁବିଧା ପାଇବେ। ସେହିପରି ବିଧବାଙ୍କ ପୁନଃବିବାହ କ୍ଷେତ୍ରରେ ମଧ୍ୟ ଏହି ସହାୟତା ଲାଗୁ ହେବ।
ଆବେଦନଗୁଡିକ “ପ୍ରଥମେ ଆସ, ପ୍ରଥମେ ପାଅ” (First Come First Serve) ଭିତ୍ତିରେ ବିଚାର କରାଯିବ। କୌଣସି ଜିଲ୍ଲାରେ ଧାର୍ଯ୍ୟ ସଂଖ୍ୟାଠାରୁ ଆବେଦନ ଅଧିକ ହେଲେ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାର ହିତାଧିକାରୀ ପରିବାରକୁ ପ୍ରଥମେ ସହାୟତା ଦିଆଯିବ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି।

