Sat. Feb 21st, 2026

ନ୍ୟୁଜ ଡେକ୍ସ : ସୁରକ୍ଷିତ, ବିଶ୍ୱସନୀୟ ଏବଂ ଯାତ୍ରୀ କେନ୍ଦ୍ରିକ ରେଳ ପରିଚାଳନା ପ୍ରତି ନିଜର ପ୍ରତିବଦ୍ଧତାକୁ ଆଉ ମଜବୁତ କରି ପୂର୍ବ ତଟ ରେଳପଥ ଖୋର୍ଦ୍ଧା ରୋଡ୍ ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ସୁଡ଼ଙ୍ଗ ନମ୍ବର ୭ରେ ବ୍ୟାପକ ଅତ୍ୟାଧୁନିକ ସୁରକ୍ଷା ଏବଂ ଜରୁରୀକାଳୀନ ପରିଚାଳନା ବ୍ୟବସ୍ଥା ସଫଳତାର ସହ ସ୍ଥାପନ ସମ୍ପୂର୍ଣ୍ଣ କରିଛି।ବୌଦ୍ଧ ଜିଲ୍ଲାର ପୁରୁଣାକଟକ ଓ ଚାରିଛକ ମଧ୍ୟରେ ଅବସ୍ଥିତ ୧,୯୭୫ ମିଟର ଲମ୍ବା ଟନେଲ୍ ୭ରେ ସମ୍ପ୍ରତି ସଫଳ “ଟନେଲ୍ ବ୍ରେକଥ୍ରୁ” ସହ ନିର୍ମାଣ କାର୍ଯ୍ୟର ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ ହୋଇଛି।

ଏହା ପରେ ରେଳ ସୁରକ୍ଷା ମାନଦଣ୍ଡ ଅନୁଯାୟୀ ଟନେଲ୍‌ଟିକୁ ଅତ୍ୟାଧୁନିକ MEP (Mechanical, Electrical & Plumbing) ପ୍ରଣାଳୀ ସହିତ ସଜ୍ଜିତ କରାଯାଇଛି ଏବଂ ବର୍ତ୍ତମାନ ସେଗୁଡ଼ିକର ପରୀକ୍ଷଣ ଓ କାର୍ଯ୍ୟକ୍ଷମତା ଯାଞ୍ଚ ଚାଲିଛି। ଟନେଲ୍ ୭ରେ ଉଚ୍ଚ କ୍ଷମତାସମ୍ପନ୍ନ ଜେଟ୍ ଫ୍ୟାନ୍ ସହିତ ଭେଣ୍ଟିଲେସନ୍ ସିଷ୍ଟମ୍, ଅଗ୍ନିନିବାପନ ପାଇଁ ହାଇଡ୍ରାଣ୍ଟ ଲାଇନ, ହୋସ୍ ରିଲ୍ ଓ ଅଗ୍ନିନିବାପକ, ବିଦ୍ୟୁତ୍ ବ୍ୟାକଅପ୍ ସହ ଟନେଲ୍ ଆଲୋକୀକରଣ ଓ ସ୍ୱୟଂଚାଳିତ ଜରୁରୀକାଳୀନ ଲାଇଟ୍, ଆଲୋକିତ ଏଗ୍ଜିଟ୍ ସାଇନେଜ୍, PA (Public Address) ସିଷ୍ଟମ୍ ଓ CCTV ନିରୀକ୍ଷଣ ବ୍ୟବସ୍ଥା ସ୍ଥାପିତ ହୋଇଛି।

ଏହା ସହିତ, ଟନେଲ୍ ଭିତରୁ ସିଧାସଳଖ କଣ୍ଟ୍ରୋଲ୍ ରୁମ୍‌କୁ ସମ୍ପର୍କ କରିପାରିବାକୁ SOS ଜରୁରୀକାଳୀନ କଲିଂ ସିଷ୍ଟମ୍‌ ମଧ୍ୟ ରହିଛି।ଏହି ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଟନେଲ୍ ୭କୁ ଦେଶର ସବୁଠାରୁ ସୁରକ୍ଷିତ ଓ ଯାତ୍ରୀ–ମିତ୍ର ରେଳ ସୁଡ଼ଙ୍ଗମାନଙ୍କ ମଧ୍ୟରେ ଏକ ନୂଆ ମାନଦଣ୍ଡ ଭାବେ ପ୍ରତିଷ୍ଠିତ କରିଛି।

Leave a Reply

Your email address will not be published. Required fields are marked *