Sun. Feb 22nd, 2026

ନ୍ୟୁଜ ଡେକ୍ସ : ଏବେ ଆଉ ମୋବାଇଲ୍ ନେଟୱର୍କକୁ ନେଇ ଟେନ୍‌ସନ୍‌ ନାହିଁ। ଆଗାମୀ ଦିନରେ ମୋବାଇଲ୍ କଲ୍‌ ଓ ଇଣ୍ଟରନେଟ୍ ପାଇଁ ଟାୱାର ଆବଶ୍ୟକତା ରହିବନି। ଯେଉଁଠି ଥିଲେ ବି ସହଜରେ କଲ୍‌ ଲାଗିବ, ଏପରିକି ବନ୍ୟା, ଭୂମିକମ୍ପ କିମ୍ବା ଝଡ଼ ଭଳି ବିପର୍ୟ୍ୟୟ ସମୟରେ ମଧ୍ୟ ନେଟୱର୍କ କଟିବନି। ଅପହଞ୍ଚ ଅଞ୍ଚଳରେ ମଧ୍ୟ ନେଟୱର୍କ ପହଞ୍ଚାଇବାରେ ବଡ଼ ସଫଳତା ହାସଲ କରିଛି ଭାରତ।

ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପୁଣିଥରେ ବିଶ୍ୱମଞ୍ଚରେ ନିଜ ଶକ୍ତି ଓ ଆତ୍ମବିଶ୍ୱାସ ପ୍ରଦର୍ଶନ କରିଛି। ଶ୍ରୀହରିକୋଟାରୁ ସକାଳ ୮ଟା ୫୫ ମିନିଟ୍‌ରେ ବ୍ଲୁ ବର୍ଡ ବ୍ଲକ-୨ ସାଟେଲାଇଟ୍‌ର ସଫଳ ଉତକ୍ଷେପଣ ହୋଇଛି। କମ ବଜେଟ୍‌, ସଠିକ୍ ପ୍ରଯୁକ୍ତି ଏବଂ ଉଚ୍ଚ ଦାୟିତ୍ୱବୋଧ ସହିତ ISRO ଏହି ମିଶନକୁ ସଫଳ କରି ମୋବାଇଲ୍ ଯୋଗାଯୋଗ କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି।ବ୍ଲୁ ବର୍ଡ ବ୍ଲକ-୨ ସାଟେଲାଇଟ୍‌ର ସବୁଠାରୁ ବଡ଼ ବୈଶିଷ୍ଟ୍ୟ ହେଉଛି— ଏହା ମୋବାଇଲ୍ ଟାୱାର କିମ୍ବା ଅତିରିକ୍ତ ଆଣ୍ଟେନା ବିନା ସିଧାସଳଖ ସ୍ମାର୍ଟଫୋନକୁ ୪ଜି ଓ ୫ଜି ନେଟୱର୍କ ପ୍ରଦାନ କରିବ। ହିମାଳୟ, ମରୁଭୂମି, ସମୁଦ୍ର ମଧ୍ୟଭାଗ କିମ୍ବା ବିମାନରେ ମଧ୍ୟ ନିରବଚ୍ଛିନ୍ନ ଯୋଗାଯୋଗ ସମ୍ଭବ ହେବ।

ବିପର୍ୟ୍ୟୟ ସମୟରେ ଯେତେବେଳେ ଭୂମିଭିତ୍ତିକ ନେଟୱର୍କ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଏ, ସେହି ସମୟରେ ଏହି ସାଟେଲାଇଟ୍ ନେଟୱର୍କ ଯୋଗାଯୋଗକୁ ଜୀବନ୍ତ ରଖିବ। ଜରୁରୀକାଳୀନ ସ୍ଥିତିରେ ଏହା ଏକ ‘ଲାଇଫ୍‌ଲାଇନ୍‌’ ଭାବେ କାମ କରିପାରିବ।ଏହି ମିଶନ ଆମେରିକାର ଇଝଞ ସ୍ପେସ ମୋବାଇଲ୍‌ କମ୍ପାନୀ ସହିତ ହୋଇଥିବା ବାଣିଜ୍ୟିକ ଚୁକ୍ତିର ଅଂଶ। କମ୍ପାନୀ ଦାବି କରିଛି ଯେ, ଏହି ସାଟେଲାଇଟ୍ ନେଟୱର୍କ ମାଧ୍ୟମରେ ପ୍ରାୟ ୬ ବିଲିୟନ ମୋବାଇଲ୍ ବ୍ୟବହାରକାରୀ ସିଧାସଳଖ ଲାଭାନ୍ବିତ ହେବେ।ISROର ଏହି ଐତିହାସିକ ସଫଳତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଏହି ସଫଳତା ଭାରତକୁ ସାଟେଲାଇଟ୍ ଟେଲିକମ୍ୟୁନିକେସନ୍ କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ ଦେଶମାନଙ୍କ ମଧ୍ୟରେ ନେଇଯିବ।

Leave a Reply

Your email address will not be published. Required fields are marked *